<h3>ପୁରୀ, ୦୨/୦୫/୨୪: ଆସନ୍ତା ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆଜି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରୀ ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ, ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଓ ପରିଚାଳନା କମିଟି ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ତେବେ ଶୃଙ୍ଖଳିତ ନୀତି କାନ୍ତି, ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସମସ୍ତ କାର୍ୟ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣ ଓ ଜଳ ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯିବ। ମେ ୧୦ ତାରିଖରେ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ଡଙ୍ଗାରେ ବସି ନରେନ୍ଦ୍ର ସରୋବରରେ ଜଳକ୍ରୀଡ଼ା କରିବେ। ତେଣୁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।</h3>