ଶାନ୍ତିପୂର୍ଣ୍ଣ ଭାବେ ଶେଷହେଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରିବଳଦେଵ ଜୀଉଙ୍କ ପବିତ୍ର ବାହୁଡାଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଟଣା ହେଲା ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଆ ସୁଭଦ୍ରାଙ୍କ ରଥ। ଗୁଣ୍ଡିଚାଯାତ୍ରା ଭଳି ବାହୁଡା଼ଯାତ୍ରା ମଧ୍ୟ ବାରିପଦାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ। ମଙ୍ଗଳବାର ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିନେଇ ବଡ଼ଦେଉଳ ନିକଟରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳା ଭକ୍ତମାନେ ଟାଣିନେଇ ଅଧା ବାଟ ଟାଉନ ଥାନା ସମ୍ମୁଖରେ ରଖିଥାନ୍ତି। ପରମ୍ପରା ଅନୁଯାୟୀ ଏଠାରେ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବାହୁଡ଼ା ଯାତ୍ରା ମଧ୍ୟ ଦୁଇଦିନ ଧରି ହୋଇଥାଏ। ପୁରୀ ଭଳି ଏଠାରେ ମଧ୍ୟ ତିନି ଠାକୁରଙ୍କ ତିନଟି ଅଲଗା ଅଲଗା ରଥ ହୋଇଥାଏ। କିମ୍ବଦନ୍ତୀ ଅନୁସାରେ ପୁରୀ ରଥଯାତ୍ରାର ପରଦିନ ମହାପ୍ରଭୁ ଜଗନ୍ନାଥ ବାରିପଦା ରଥରେ ଆସି ଉଭା ହୋଇଥାନ୍ତି । ତେଣୁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଇଥାଏ। ତେଣୁ ଏହି ରଥଯାତ୍ରା ଦେଖିବା ପାଇଁ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟମାନଙ୍କରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି। ଚଳିତବର୍ଷ ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଅନ୍ୟପଟେ ରଥଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିନେଇ ବଡ଼ଦେଉଳ ନିକଟରେ ପହଞ୍ଚିବା ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଟାଣିଟାଣି ନେଇ ବଡ଼ଦେଉଳ ନିକଟରେ ପହଞ୍ଚାଇଛନ୍ତି ଶ୍ରଦ୍ଧାଳୁ।