ସରପଞ୍ଚଙ୍କ ପରେ ବଢିଲା ମେୟରଙ୍କ ଦରମା । ଗତକାଲି ରାଜ୍ୟ ସରକାର ପଂଚାୟତିରାଜ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିବା ବେଳେ ଆଜି ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଛନ୍ତି । ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତ୍ତା ବୃଦ୍ଧି ସଙ୍କ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ମେୟର, ଡେୁପଟି ମେୟର, ପୌର ପରିଷଦ ଅଧ୍ୟକ୍ଷ ତଥା ପୌର ପରିଷଦ ଉପାଧ୍ୟକ୍ଷ, ମହାନଗର ନିଗମର କର୍ପୋରେଟର ପ୍ରମୁଖ ଉପକୃତ ହେବେ । ଡେପୁଟି ମେୟରଙ୍କ ପାରିତୋଷିକ ମାସକୁ ୫ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ମହାନଗର ନିଗମ ମେୟରମାନେ ପୂର୍ବରୁ ପାରିତୋଷିକ ଭାବେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ମହାନଗର ନିଗର କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦକୁ ୭ ଶହ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସକୁ ୧୫୦୦ ଟଙ୍କାରୁ ୧୫ ହଜାର ଟଙ୍କା ଓ ଉପାଧ୍ୟକ୍ଷଙ୍କ ପାରିତୋଷିକ ୧୨୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନଏସିର କାଉନସିଲରଙ୍କ ଭତ୍ତା ୧୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବାଦ ମହାନଗର ନିଗବର ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କୁ ବୈଠକ ସମୟରେ ଦୈନିକ ୨ ଶହ ଟଙ୍କା ଭତ୍ତା ମିଳିବ। ପୌରାଞ୍ଚଳଗୁଡ଼ିକର ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।