ଭୁବନେଶ୍ୱର: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସରକାରୀ ଅଫିସରେ ଦିଆଯିବ କରୋନା ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏହି ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍। ପ୍ରଥମେ ଆଗଧାଡିରେ ଗୃହ ଓ ନଗର ଉନ୍ନୟନ କର୍ମଚାରୀଙ୍କୁ ଦିଆଯିବ ଟିକା। ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯିବ। ୬ରୁ ଟିକାକରଣ ଆରମ୍ଭ ହେବ ଏନେଇ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ସମ୍ମୁଖ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି। ଚିହ୍ନଟ ହେବା ପରେ ସେମାନଙ୍କୁ ସେମାନଙ୍କ ଅଫିସ୍ରେ ଟିକା ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ ୩ ସପ୍ତାହ ମଧ୍ୟରେ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ସେହିପରି ୮୩ ବଜାର ୫ ଶହ କୋଭାକ୍ସିନ ଟିକା ମଧ୍ୟ ଆସିଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି ଯାହା ୬୨ ପ୍ରତିଶତ । ପ୍ରଥମେ ପର୍ଯ୍ୟାୟରେ ଟିକାକରଣ ୧୦ ତାରିଖ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଫେବ୍ରୁଆରୀ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟରେ ଡୋଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଟିକାକରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଏସିଏସ୍ ଚିଠି କରିଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି।