ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀର ପ୍ରଭାବ ସତ୍ତ୍ୱେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ୱିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ । ସେ ଆହୁରି କହିଛନ୍ତି ଯେ, ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫାନ ଓ ବାତ୍ୟା ‘ୟାସ୍’ର ସାମ୍ନା କରିଛି । ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି । ଆମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ । ବର୍ତ୍ତମାନ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ ।