ସମ୍ବଲପୁର,(ଏନଏନଏସ ଓଡ଼ିଆ /୧୫.୦୨): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ନେଇ ଆଜି ସମ୍ବଲପୁର ଜିଲା ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଓ ଠେଲା ପେଲା। ଆଜିର ବିଜେପିର ଏହି ଆନ୍ଦୋଳନରେ ସମ୍ବଲପୁର ବିଧାୟକ ତଥା ବରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଥିବା ବେଳେ ତାଙ୍କୁ ମଧ୍ୟ ଠେଲା ପେଲା କରିଥିବାରୁ ଅଭିଯୋଗ କରିଛନ୍ତି ନିଜେ ବରୋଧୀ ଦଳ ନେତା। ଏପରିକି ସମ୍ବଲପୁରର ଜଣେ ନିର୍ଦିଷ୍ଟ ପୁଲିସ ଅଧିକାରୀ ତାଙ୍କୁ ଠେଲିଥିବାର ଅଭିଯୋଗ ଆଣିଛନ୍ତି ଜୟ ନାରାୟଣ। ତେବେ ଏନେଇ ଅତିରିକ୍ତ ଏସପିଙ୍କୁ ପଚାରିବାରୁ ସେ କୌଣସି ପତିକ୍ରିୟା ଦେବାକୁ ମନା କରିଥିଲେ।
ସୂଚନାଯୋଗ୍ୟ ଯେ, ଆଜି ଦିନ ୧୧ ଟା ସମୟରେ ଆଶାପାଲି ଅଞ୍ଚଳରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଜିଲାପାଳ ସମ୍ମୁଖ ପାଖକୁ ଆସିଥିଲେ ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଆୟୋଜନ କରିଥିଲେ। ଏହି ସଭାରେ ବରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ, ବିଜେପି ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖଙ୍କ ସହ ସହ ସହ ବିଜେପି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ତେବେ ମିଳିଥିବା ଭିଡିଓ ଆଧାରରେ ଜଣେ ମହିଳା ପୋଲିସ ଅଧିକାରୀ ଓ ବିରୋଧି ଦଳ ନେତା ପରସ୍ପର ମଧ୍ୟରେ ଠେଲା ପେଲା ହୋଇଥିବାର ସ୍ପଷ୍ଟ ଜଣା ପଡୁଥିବା ବେଳେ କିଏ ପ୍ରଥମେ ଧକ୍କା ମାରିଛି ତାହା ଜଣାପଡି ନାହିଁ।