ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି । ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଆନ୍ତର୍ଜାତୀୟ ଫୋରମ୍ ରେ ଅନ୍ୟ ଦେଶମାନଙ୍କ ଦ୍ବାରା ପ୍ରଶଂସିତ ହୋଇଛି ।
ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତରେ ଯାଇ ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର୍ ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ନାୟକ ସମବାୟ କ୍ଷେତ୍ରରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ବୋଲି କହିଛନ୍ତି । ରାଜ୍ୟର ସର୍ବାଙ୍ଗିନ ବିକାଶ ପାଇଁ ସମବାୟ ହେଉଛି ସବୁଠାରୁ ପ୍ରଭାବି ମାଧ୍ୟମ । ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀ , ଅବହେଳିତ ଓ ବଞ୍ଚିତ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ଏହା ବିଶେଷ ଫଳପ୍ରଦ ।
ରାଜ୍ୟରେ ଥିବା ପାକ୍ସ ଓ ଲ୍ୟାମ୍ପ୍ସ ଚାଷୀମାନଙ୍କ କୃଷି ଉତ୍ପ।ଦକୁ ମର୍କେଟିଂ ସୁବିଧା ଦେବା ଯୋଗାଇ ଦେବା ପାଇଁ ଅଭିପ୍ରେତ । କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରି ଥାଆନ୍ତି । ରାଜ୍ୟ ସରକାରଙ୍କ ପ୍ରଇସ୍ ସପୋର୍ଟ ଯୋଜନା ମାଧ୍ୟମରେ ସେମାନେ ଧାନ ବିକ୍ରୟରେ ସହାୟତା ଯୋଗାଇ ଦେଇଥାନ୍ତି । ଡାଲି ଜାତୀୟ ଫସଲ ଓ ତୈଳବୀଜ ଆଦି କୃଷି ଉତ୍ପାଦ ଗୁଡିକ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ହୋଇ ପାରୁଛି ।
ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆଜି ଓଡିଶା ଦେଶର ଏକ ବଳକା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଡିକୁ ଏହା ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ସକ୍ଷମ । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରୟାସକୁ ପ୍ରଶଂସା କରାଯାଇଛି । ଖାଦ୍ୟ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ପ୍ରଣାଳୀ କ୍ଷେତ୍ରରେ ସମବାୟର ସଦ୍ଉପଯୋଗ ଆମ ରାଜ୍ୟର ଏକ ଅନନ୍ୟ ବ୍ୟବସ୍ଥା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।