ପୁରୀ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ । କରୋନା ସ୍ଥିତି ଆୟତକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନେଇ ଜିଲ୍ଲା ପ୍ରଶାସନ ସମସ୍ତେ ଚିନ୍ତିତ । ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମଧ୍ୟ କରୋନା ପ୍ରବେଶ କରିସାରିଛି ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ବି ଚିନ୍ତା ବଢିଛି । କରୋନାର ଏହି ଦ୍ୱିତୀୟ ଲହରରେ ବଡ ଦେଉଳରେ ଏକାଧିକ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ରମୀନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ନେଇ କଟକଣା ଜାରି କରାଯାଇଥିଲା ତଥାପି ଗୋଟିଏ ପରେ ଗୋଟିଏ ସେବାୟତ ଓ ଭକ୍ତ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଯାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଣି ଭକ୍ତ ମାନଙ୍କ ଦର୍ଶନ ବ୍ୟବସ୍ଥା ଓ ମନ୍ଦିର ଖୋଲିବା ଉପରେ କଟକଣା ଜାରି କରାଯାଇଛି । ବର୍ତମାନ ରାଜ୍ୟରେ ଜାରି କରୋନାର କୋପକୁ ଦୃଷ୍ଟିରେ ରଖି ଆଜି ଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଶ୍ରୀମନ୍ଦିରକୁ ବନ୍ଦ ରଖିବାକୁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଆଜି ଠାରୁ ଶ୍ରୀମନ୍ଦିର ଭିତରକୁ ଭକ୍ତ ମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ କେବଳ ମହାପ୍ରଭୁଙ୍କ ନୀତିକ୍ରାନ୍ତି ପାଇଁ କିଛି ସେବାୟତ ମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ରହିଛି । ଗତ ୨୪ ତାରିଖରେ (ଶନିବାର) ଛତିଶା ନିଯୋଗର ବୈଠକରେ ଶ୍ରୀମନ୍ଦିର ବନ୍ଦ କରିବାକୁ ନେଇ ନିଷ୍ପତି ହୋଇଥିଲା। ଅନ୍ୟପଟେ ଆସନ୍ତା ୧୫ ତାରିଖରୁ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ହେବାକୁ ରହିଛି କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ବି କରୋନାର ଭୟ ରହିଛି ଓ କେଉର୍ଭଳି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମ୍ପାଦିତ ହେବ ତାକୁ ନେଇ ମଧ୍ୟ ଦ୍ୱନ୍ଦ ରହିଛି । ପୂର୍ବ ବର୍ଷ କରୋନା କଟକଣା ହେତୁ ମନ୍ଦିର ଭିତରେ କେବଳ ପରମ୍ପରା ବଜାୟ ରଖିବା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ଚନ୍ଦନ ଯାତ୍ରାକୁ ନେଇ ଆସନ୍ତା ମେ ୬ ତାରିଖରେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ହେବାକୁ ଯାଉଛି । ବୈଠକ ପରେ ହିଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ପାରିବ ।