ଏନ୍ଏନ୍ଏସ ଓଡିଆ, ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡରରେ ସୁରକ୍ଷିତ ନାହିଁ ଅଳଙ୍କାର । ସତ୍ୟପାଠ ଓ ତଥ୍ୟରେ ନାହିଁ ତାଳମେଳ । ଶ୍ରୀମନ୍ଦିର ରତ୍ନଭଣ୍ଡରରେ ପାଖାପାଖି ୨୫୮ କେଜି ଓଜନର ରୂପା ଅଳଙ୍କାର, ପୂଜା ସାମଗ୍ରୀ ଓ ବାସନ ଥିଲା । ନିଜେ ସରକାର ୨୦୧୮ ମସିହାରେ ଏହି ତଥ୍ୟ ଦେଇଥିଲେ । ଏବେ କିନ୍ତୁ ସେତିକି ରୁପା ନାହିଁ । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି , ୨୧୮ କିଲୋ ରୁପା ସାମଗ୍ରୀ ରହିଛି । ଉଭୟ ହିସାବରେ ତାଳମେଳ ନାହିଁ । ରୂପା ହିସାବରେ ୪-୦ କେଜି ତାରତମ୍ୟ ଦେଖାଯାଉଛି । ୫ ବର୍ଷ ଥଳେ ସେତିକି ଥିଲା ଏବେ ସେଥିରୁ ୪୦ କେଜି କମିଯାଇଛି । ଏବେ ରୂପା ଗଲା କୁଆଡେ ପ୍ରଶ୍ନ ଉଠୁଛି । ସେହିପରି ୧୫୨ ଗ୍ରାମ ସୁନା ଅଳଙ୍କାର ବି କମିଯାଇଛି । ୨୦୧୮ ଏପ୍ରିଲ ୨୬ ତାରିଖରେ ବଜେଟ୍ ଅଧିବେଶନରେ ତତ୍କାଳୀନ ବିଧାୟକ ଦିଲ୍ଲୀପ ରାୟ ରତ୍ନଭଣ୍ଡାର ଅଳଙ୍କାର ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଲିଖିତ ଉତରରେ ଦର୍ଶାଇଥିଲେ ୧୯୭୮ ମସିହା ମେ ୧୩ ତାରିଖ ଏବଂ ଜୁଲାଇ ୨୩ ତାରିଖ ମଧ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା ।ସେ ସମୟରେ ରତ୍ନଭଣ୍ଡାରରେ ୧୨ ହଜାର ୮୩୧ ଭରି ୧ ଅଣା ଓଜନର ସୁନା ଅଳଙ୍କାର ଏବଂ ୨୨ ହଜାର ୧୫୩ ଭରି ଓଜନର ରୁପା ସମଗ୍ରୀ ଥିଲା । ଗୋଟିଏ ଭରି ଓଜନ ୧୧ ଦଶମିକ ୬୬ ଗ୍ରାମ ଅନୁସାରେ ଆକଳନ କଲେ ୧୪୯ କେଜି ୬୦୯ ଗ୍ରାମ ସୁନା ଓ ୨୫୮ କେଜି ୩୦୦ ଗ୍ରାମ ରୁପା ସେତେବେଳେ ଥିଲା । ସତ୍ୟପାଠରେ କୁହାଯାଇଥିଲା ୩ଟି ପ୍ରକାରର ଭଣ୍ଡାର ଅର୍ଥାତ୍ ଭିତର, ବାହାର ଓ ଚଳନ୍ତି ଭଣ୍ଡାରରେ ମୋଟ ୧୨ ହଜାର ୮୧୮ ଭରି ସୁନା ଅଳଙ୍କାର ଓ ୧୮ହଜାର ୭୮୧ କେଜି ରୁପା ସାମଗ୍ରୀ ରହିଛି । ଏହାକୁ କେଜିରେ ପରିବର୍ତନ କରାଗଲେ ୧୪୯ କେଜି ୪୫୭ ଗ୍ରାମ ସୁନା ଓ ୨୧୮ କେଜି ରୁପା ସମାଗ୍ରୀ ରହିଛି । ଉଭୟ ହିସାବକୁ ତୁଳନା କଲେ ଜଣାପଡ଼ୁଛି ୩ହଜାର ୩୭୨ ଭରି କିମ୍ବା ୪୦ କେଜି ରୁପା ଓ ୧୩ ଭରି କିମ୍ବା ୧୫୨ ଗ୍ରାମ୍ ସୁନା ଏବେ କମିଯାଇଛି ।