ପୁରୀ: ଆଜି ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ମାନଙ୍କ ପଇତା ଲାଗୀ ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬.୦୦ ଟା ରୁ ରାତ୍ର ୧୦.୦୦ ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୁଚନା ଦିଆଯାଇଛି। ଆଜି ପଇତାଲାଗି ହେବେ ମହାପ୍ରଭୁ । ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନିତୀ ସମ୍ପାଦିତ ହେବାକୁ ଥିବା ବେଳେ,, ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକ ମାନେ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି ଏବଂ ଏହି ପଇତାକୁ ଦେଉଳ-କରଣ ଙ୍କୁ ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହି ଆସିଛି ।