କଟକ,(ଏନଏନଏସ ଓଡ଼ିଆ /୧୬.୦୩): ଜଗତପୁର ଅଞ୍ଚଳରେ ଶିଶୁ ବିକ୍ରି ପାଇଁ ଚାଲିଥିବା ଯୋଜନା ପଣ୍ଡ ହୋଇଛି।ଜଗତପୁର ଥାନା ଅନ୍ତର୍ଗତ ୪୯ନଂ ୱାର୍ଡ ଖଇରା (ଇମାମନଗର) ଡମ ସାହିରେ ଏଭଳି ଘଟଣା ଧରା ପଡିଛି। ମାତ୍ର ୧୧ ଦିନର ନବଜାତ ଶିଶୁପୁତ୍ରକୁ ଆଣି ୨ ଜଣ ମହିଳା ଉକ୍ତ ସାହିରେ ରହୁଥିବା ସେମାନଙ୍କ ଭଡା ଘରେ ଲୁଚାଇ ରଖିଥିଲେ। ଏହି ଶିଶୁପୁତ୍ରକୁ ଅନ୍ୟତ୍ର ବିକ୍ରି କରାଯିବା ପାଇଁ ଯୋଜନା ହେଉଥିବା ସଂକ୍ରାନ୍ତରେ କଟକ ଚାଇଲ୍ଡ ଲାଇନ(ସି.ଡବ୍ଲୁ.ସି)କୁ ଖବର ମିଳିଥିଲା।
ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କ ସହାୟତାରେ ଚାଇଲ୍ଡ ଲାଇନ୍ ପକ୍ଷରୁ ନିରାଞ୍ଜଳି ଦାସ ଓ ତାଙ୍କ ସହଯୋଗୀ ଚଢଉ କରି ଉକ୍ତ ଶିଶୁପୁତ୍ରକୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। କଟକ ଶିଶୁଭବନରୁ ଉକ୍ତ ଶିଶୁପୁତ୍ରକୁ ଚୋରାଇ ଅଣାଯାଇଥିବା ପ୍ରାଥମିକ ଛାନଭିନରୁ ସନ୍ଦେହ କରାଯାଉଛି। ଶିଶୁ ଭବନରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା। ସିଡବ୍ଲୁସିର ତଦନ୍ତ ରିପୋର୍ଟ ଆଧାରରେ ଜଗତପୁର ଥାନା ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।