ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର। ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରି ଆସୁଛନ୍ତି ମହେନ୍ଦ୍ର ଏବଂ ରାଜକୁମାର। କିଛିବର୍ଷ ପୂର୍ବରୁ ଅନୁଗଳର ସାତକୋଶିଆ ଅଭୟାରଣ୍ୟକୁ ବାଘୁଣି ସୁନ୍ଦରୀକୁ ସୁରକ୍ଷା ଦେବା ପାଇଁ ଯାଇଥିବା ଦୁଇହାତୀ ରାଜକୁମାର ଏବଂ ମହେନ୍ଦ୍ର ଆଜି ନିଜ ଜନ୍ମମାଟିକୁ ଫେରୁଛନ୍ତି û ୫ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆ ବନାଞ୍ଚଳକୁ ଯାଇଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ଶେଷରେ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ଅଣାଯାଇଛି. ଗତକାଲି ମଧ୍ୟରାତ୍ରିରେ ଦୁଇଟି ହାଇୱା ଯୋଗେ ଏହି ଦୁଇଟି ହାତୀ ଶିମିଳିପାଳରେ ପହଞ୍ଚିଛନ୍ତି। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା ପାଇଁ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଅନୁଗୁଳ ବନଖଣ୍ଡର ସାତକୋଶିଆ ବନାଞ୍ଚଳରେ ବାଘବଂଶ ବୃଦ୍ଧି ପାଇଁ ୨୦୧୮ ମସିହା ଜୁନ୍ ୨୮ ତାରିଖରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ସୁନ୍ଦରୀ। ତେବେ ସୁନ୍ଦରୀ ପହଞ୍ଚିବା କ୍ଷଣି ଜଙ୍ଗଲ ଆଖପାଖ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ଓ ଲୋକଙ୍କୁ ଆକ୍ରମଣ କରି ରକ୍ତମୁଖା ହୋଇପଡ଼ିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ବନ ବିଭାଗର ନିଷ୍ପତ୍ତିକୁ ବିରୋଧ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ। । ହାତୀ ଦୁଇଟିକୁ ସୁରକ୍ଷିତ ଭାବେ ଆଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ବାଟସାରା ସେମାନଙ୍କ ଶାରୀରିକ ସ୍ଥିତି ଅନୁଧ୍ୟାନ, ନିୟମିତ ବ୍ୟବଧାନରେ ପାଣି ସିଞ୍ଚନ ସହ ଖାଦ୍ୟର ବ୍ୟବସ୍ଥା ହୋଇଥିଲା। ହାତୀ ଦୁଇଟିକୁ ଏବେ ଶିମିଳିପାଳ ଉତ୍ତର ଡିଭିଜନ୍ର ଏକ ଜଙ୍ଗଲରେ ନିରୀକ୍ଷଣରେ ରଖାଯାଇଛି। ଏହା ପରେ ସେମାନେ ପୂର୍ବଭଳି ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସଦାନନ୍ଦ ଗୌଡ଼ ସୂଚନା ଦେଇଛନ୍ତି। ରାଜକୁମାର ଏବଂ ମହେନ୍ଦ୍ର ନିଜ ଜନ୍ମମାଟି ଶିମିଳିପାଳକୁ ଫେରୁଥିବା ବେଳେ ଶିମିଳିପାଳର ମୁଖ୍ୟ ଆକର୍ଷଣ ପାଲଟିଥିବା ଏହି ଦୂଇହାତୀ ଫେରିବା ଖବର ପ୍ରଚାରିତ ହେବା ପରେ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।