ସୋରଡା ବ୍ଲକ ସମେତ ଏନଏସି ର ମନ୍ଦିର ମାନଙ୍କରେ ସୋମବାର ଧନୁ ସଙ୍କ୍ରାନ୍ତି ଠାରୁ ଆରମ୍ଭ ହେବ ପହିଲି ଭୋଗର ଆସର । ଏହା ଏକ ମାସ ଅର୍ଥାତ ମକର ସଙ୍କ୍ରାନ୍ତି ପର୍ଯ୍ୟନ୍ତ ଚାଲିବାର ପରମ୍ପରା ରହିଛି । ଶିତୁଆ ସକାଳ ରେ ସହରାଞ୍ଚଳ,ଗ୍ରାମାଞ୍ଚଳ ର ଜନ ସାଧାରଣ ଗାଧୁଆ ସାରି ମନ୍ଦିର ମାନଙ୍କରେ ପହଞ୍ଚି ଭୋଗ ଗ୍ରହଣ କରିବେ । ଭୋର ସମୟରୁ ଭୋଗ ହୋଇ ପ୍ରସ୍ତୁତ ରହିଥାଏ ପ୍ରସାଦ । ସେଥିମଧ୍ୟରେ ମିଠାଭାତ ,ମିଠାଡାଲି ,ଘଣ୍ଟା ତରକାରୀ ,ଆମ୍ବିଳ ,ମହୁର ,ଗୋଳେଇ ଭଜା ,ବେସର ,5 ପ୍ରକାର ଭରତା,ଖିରୀ ,କାକରା,ବିରିବରା ,ମିଠା ଆଚାର ପ୍ରଭୁତି ରହିଥାଏ । ସାଙ୍ଗସାଥି ,ରାଜନୈତିକ ,ଚାକିରିଆ,ବ୍ୟବସାଇ ,ସଂଗଠନ ମାନେ ଗୋଷ୍ଠୀ ହୋଇ ଯାଇଥାନ୍ତି ଭୋଗ ଖାଇବାକୁ । ପରିବାର ମାନଙ୍କରେ ଆସର ଜମିଥାଏ । ଏନଏସି ର ବଡକାଳି ,ସାନକାଳି,ଜଗନ୍ନାଥ ,ତ୍ରିନାଥ ,ଗୋପୀନାଥ ,ରଘୁନାଥ ମନ୍ଦିର ସମେତ ବଡଗଡ ,ସୁରମଣି,ସିଦ୍ଧପୁର ,ତତାବାଲି,ପାଲକାଟ,ଏକଲପୁର ,ଚାକୁଣ୍ଡା ,ବୁଗୁଡା ,ରାଇବାନ୍ଧ,ଗ୍ରାମ ମନ୍ଦିର ମାନଙ୍କରେ ଆରମ୍ଭ ହୋଇଛି ପହିଲିଭୋଗର ଆସର । ଏହିଦିନ ମାନଙ୍କରେ ସୁସ୍ଵାଦୁ ଖାଦ୍ୟ ରନ୍ଧନ ପାଇଁ ମନ୍ଦିର ମାନଙ୍କରେ ସ୍ଵତନ୍ତ୍ର ସୁପକାର ନିୟୋଜିତ କରିଛନ୍ତି ମନ୍ଦିର ପରିଚାଳନା କମିଟି ମାନେ । ମୁଖ୍ୟତ ଜଗନ୍ନାଥ ମନ୍ଦିରକମିଟି ସଦସ୍ୟ ସଂଜୀବ ପଟନାୟକ ,ରଜନୀକାନ୍ତ ମହାପାତ୍ର,ସୁପକାର ମୂନା ପତ୍ରୀ , ପ୍ରମୁଖ ସେଠାକାର ଭୋଗ ସମସ୍ତଙ୍କ ମନୋଲୋଭ କରିବା ପାଇଁ ସ୍ଵତନ୍ତ୍ର ଦ୍ରୁଷ୍ଟି ଦେଉଥିବା ବେଳେ , ସାନକାଳି ମନ୍ଦିରରେ ଅଞ୍ଚଳର ନାମଜାଦା ସୁପକାର ଦେବରାଜ ପଣ୍ଡା,ବଡକାଳି ମନ୍ଦିର ରେ ଯୁବ ପୂଜକ ମଧୁସୂଦନ ସାହୁ ପ୍ରମୁଖ ରୋଷେଇ କରୁଛନ୍ତି । ପ୍ରତିଦିନ ୧୦୦ ରୁ ଉର୍ଦ୍ଧ ଜନ ପାଖାପାଖି ଗୋଟିଏ ଗୋଟିଏ ମନ୍ଦିରରେ ଭୋଗ ପାଇଁ ଭିଡ ଲାଗନ୍ତି । ପାରମ୍ପରିକ ଏହି ଭୋଗ ପାଇଁ ସମସ୍ତଙ୍କ ଆଶା ରହିଥାଏ । ମୁଖ୍ୟତଃ ସବୁ ମନ୍ଦିର ରେ ଏହି ଭୋଗ ପାଇଁ ପୂର୍ବରୁ ଅଗ୍ରିମ ଟିକଟ କରିବାକୁ ପଡେ ।