ଜୁନାଗଡ଼ରେ ଶବକୁ ଅସମ୍ମାନ । ସକାଳ ୯ଟା ରେ ହେଲା ଶବ ବ୍ୟବଚ୍ଛେଦ, ସନ୍ଧ୍ୟା ୬ଟା ପରେ ମଧ୍ୟ ମିଳିଲାନି ମହାପ୍ରୟାଣ ଗାଡି । ଡାକ୍ତରଖାନାରୁ ବ୍ୟବଚ୍ଛେଦ ଶବକୁ ଷ୍ଟ୍ରେଚରରେ ଆଣି ଥାନା ସମ୍ମୁଖରେ ରଖି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇ ଥାନା ସମ୍ମୁଖରେ ଧାରଣା ଦେଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରେ ଶବକୁ ଅସମ୍ମାନ ନେଇ ପଦାରେ ପଡିଛି କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର । ସକାଳ ୯ଟାରେ ଶବ ବ୍ୟବଚ୍ଛେଦ କରାଗଲା କିନ୍ତୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ପରିବାର ଲୋକଙ୍କୁ ମହାପ୍ରୟାଣ ଗାଡି ମିଳିନଥିଲା ।
ପରେ ପରିବାର ଲୋକେ ଦୋଷୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ଦାବୀରେ ଡାକ୍ତରଖାନାରୁ ବ୍ୟବଚ୍ଛେଦ ଶବକୁ ଷ୍ଟ୍ରେଚରରେ ଆଣି ଥାନା ସମ୍ମୁଖରେ ରଖି ହୋହାଲ୍ଲା କରିଥିଲେ । ପରେ ମହାପ୍ରୟାଣ ଗାଡି ଆସିବା ପରେ ଶବକୁ ନେଇ ଗାଁକୁ ଯାଇଥିଲେ । ୧୨ତାରିଖରୁ ଶବକୁ ଆଣି ୧୩ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ରଖିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ଜୁନାଗଡ଼ ଥାନା ଅନ୍ତର୍ଗତ ରଣପୁର ଗ୍ରାମର ସୁରେଶ ବିହାରଙ୍କ ଶବ ଏକ ଜମିରେ ପଡିଥିବା ନେଇ ଲୋକେ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ହତ୍ୟା କରଯାଇଥିବା ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ୍ ଦାବୀ କରିଛନ୍ତି ।