ବ୍ୟୁରୋ : ହାତ ନୁହେଁ ଶଙ୍ଖ ଧରିଲେ ମନ୍ମଥ । ଅମାନିଆ ପୁଅକୁ ମନେଇ ପାରିଲେନି ସୁର । ହଁ ଆଜ୍ଞା ଆମେ କହୁଛୁ କଂଗ୍ରେସ ବଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତ ରାୟଙ୍କ କଥା । ବାପାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ କଥା କହୁଥିବା ପୁଅ ଆଜି ବାପାର ବିରୋଧିଦଳର ସରଣ ପଶିଲେ । କେବଳ ମନ୍ମଥ ନୁହଁନ୍ତି ତାଙ୍କ ସହ ଯୋଗ ଦେଇଛନ୍ତି ଶତାଧିକ କର୍ମି । ତେବେ କହିବା କଥା ହେଉଛି, ଏ ରାଜନୀତି ବି ବଡ ବିଚିତ୍ର । ଏଠି ପୁଅ ବାପର ନୁହେଁ , ଭାଇ ଭାଇର ନୁହେଁ । କିଛି ମାସ ପୂର୍ବରୁ ମନ୍ମଥ କଂଗ୍ରେସ ଦଳ ଛାଡିଥିଲେ, ଆଉ ସେବେଠାରୁ ଯୋର ଧରିଥିଲା ମନ୍ମଥ କୁଆଡେ ଜିବେ ? ବିଜେପି, ନା ବିଜେଡି ଯାହାର ସ୍ପଷ୍ଟ ଚିତ୍ର ଆଜି ସାମ୍ନାରେ ଦେଖିବାକୁ ମିଳିଛି । ସବୁଠାରୁ ବଡ ଆଶ୍ଚର୍ୟ୍ୟର କଥା ହେଉଛି, ସବୁ ଜାଣିଥିଲେ ସୁର ! କିନ୍ତୁ କ୍ୟାମେରା ଆଗରେ କରୁଥିଲେ ଫୁଲ୍ ଡ୍ରାମା । ଶୁଣିବାକୁ ମିଳିଛି ସାନ ପୁଅ ପାଇଁ କାଳେ ଖୋଦ ସୁର, ନବୀନ ନିବାସରେ କରିଥିଲେ ଲବି । ଯାହାର ସ୍ପଷ୍ଟ ଚିତ୍ର ଆଜି ସାମ୍ନାରେ ।
ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ। ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ। ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ। ତାକୁ ଆମେ ଜିତାଇବା। ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଥିଲେ, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ। କିଛି ଦିନ ପୂର୍ବରୁ ମନ୍ମଥ କ୍ୟାପଟନ ଚାକିରି ଛାଡ଼ି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସୁର ଶହଶହ ସମର୍ଥକଙ୍କୁ ନେଇ ସେଠାରେ ପହଞ୍ଚି ପୁଅକୁ ଭବ୍ୟ ସ୍ୱାଗତ କରି ପାଛୋଟି ଆଣିଥିଲେ। ପରେ ସୁର ମନ୍ମଥଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ।