ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଅର୍ଡର ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସେପଟେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି ।ବିଧାନସଭା ବାହାରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ ଉଦ୍ୟମ ଚଳାଇଛି କଂଗ୍ରେସ । କଂଗ୍ରେସ ପ୍ରଦର୍ଶନକାରୀ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିଦେଇଥିବା ସୂଚନା । ଏହା ପରେ କଂଗ୍ରେସ କର୍ମୀଙ୍କ ଉପରକୁ ପୋଲିସ୍ର ଲାଠିଚାର୍ଜ କରାଯିବା ସହ ପାଣିମାଡ କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଲୋୟର ପିଏମ୍ଜିରେ ଆନ୍ଦୋଳନକାରୀଙ୍କୁ ଦମନ କରୁଛି ପୋଲିସ୍ ।ସେପଟେ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ କର୍ମୀ । ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲେ । ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ ଟେକାପଥର ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ପାଣିମାଡ଼ ଓ ଟିୟର ଗ୍ୟାସ ମାଡ଼ କରିଥିଲା ପୋଲିସ । ଏସବୁ ସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍ ହେଲାଣି ପୋଲିସ ।ଏକପ୍ରକାରର ରଣକ୍ଷେତ୍ର ପାଲଟିଛି ଲୋୟର ପିଏମ୍ଜି । ଅପ୍ରୀତିକର ପରିସ୍ଥିତି ଉପୁଜିଛି ପୋଲିସ୍ ଏବଂ କଂଗ୍ରେସ ଆନ୍ଦୋନଳକାରୀଙ୍କ ମଧ୍ୟରେ । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ନାରାବାଜୀ କରି କଂଗ୍ରେସ ନିଜର ପ୍ରତିବାଦ ଜାରି ରଖିଛି । ରାମମନ୍ଦିର ପାଖରୁ କଂଗ୍ରେସକର୍ମୀ ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ବିଧାନସଭା ବାହାରେ ପହଞ୍ଚିଛନ୍ତି । ବିଧାନସଭା ଘେରାଉ ନେଇ କଂଗ୍ରେସ ଡାକରା ଦେଇଥିବାବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ପ୍ରଶ୍ନକାଳ ଜାରି ରହିଛି ।