<h3>ସୁବର୍ଣ୍ଣପୁର ୨୪/୦୪/୨୪: ନିର୍ବାଚନ ତାରିଖ ଯେତେ ପାଖଉଛି, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଏବଂ ପ୍ରାର୍ଥୀନି ସେତେ ସକ୍ରିୟ ହେଉଛନ୍ତି | ଅସହ୍ୟ ତାତିକୁ ତିଳେ ମାତ୍ର ଖାତିର ନକରି ନିର୍ବାଚନ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ | ତେବେ ଏହାରି ମଧ୍ୟରେ ସୋନପୁର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢ଼ୁଥିବା ବିଧାୟକ ପ୍ରାର୍ଥୀନି କିଛି ନିଆରା ଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେ ଭୋଟ ଭିକ୍ଷା ସାଙ୍ଗକୁ ଭିକ୍ଷା କରୁଛନ୍ତି ଆର୍ଥିକ ସହାୟତା । 'ପାର୍ଟି ସରକାର ହେଲା ବେକାର, ଆମର ଦରକାର୍ ଚାଷୀ ସରକାର' ନାରା ଦେଇ ଭୋଟ ପ୍ରଚାର କରୁଛନ୍ତି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀନୀ ସୋନାଲି ବିଶି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି ସୋନାଲି ବିଶି । ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଁ ଗାଁ ବୁଲି ନିଆରା ଢ଼ଙ୍ଗରେ ଭୋଟ ଭିକ୍ଷା କରିବା ସହିତ ନିର୍ବାଚନୀ ଖର୍ଚ୍ଚ ପାଇଁ ସହାୟତା ମାଗୁଛନ୍ତି । ଅନ୍ୟ ଦଳଗୁଡ଼ିକ ପାର୍ଟି ଫଣ୍ଡରୁ ନିର୍ବାଚନ ଲଢ଼ୁଥିବା ବେଳେ ସୋନାଲି ଗାଁ ଲୋକଙ୍କଠାରୁ ସହାୟତା ମାଗୁଛନ୍ତି । ଏହାକୁ ଦେଖି ସ୍ଥାନୀୟ ଲୋକମାନେ କିଏ ଚାଉଳ ଓ ଶକ୍ତି ମୁତାବକ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି । ଏଭଳି ଦୃଶ୍ୟ ଆଜି ତରଭା ବ୍ଲକ ସରଧାପାଳି ଗାଁରେ ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଏଠାରେ ବିଜେଡି ବିଧାୟକ ଥିବାବେଳେ ଚାଷୀଙ୍କ ସମସ୍ୟାର ସମାଧାନ କରିପାରିନାହାଁନ୍ତି । ତା ସହିତ ଆଜି ବି ଗାଁର ସାଧାରଣ ଲୋକ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏବେ ପାର୍ଟି ସରକାର ନୁହେଁ ବରଂ ଚାଷୀ ସରକାର ହେବା ପାଇଁ ସେ ନିର୍ବାଚନ ଲଢୁଥିବା ପ୍ରକାଶ କରିଛନ୍ତି । ଏହି ସହାୟତା ମାଧ୍ୟମରେ ସୋନାଲି ନିର୍ବାଚନ ଲଢ଼ିବା ସହିତ ଏଥର ନିଶ୍ଚିତ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।</h3>