ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୪.୦୨): ପାକିସ୍ତାନର ଲାହୋର ଜେଲରେ ୧୯୬୫ ମସିହାରୁ ବନ୍ଦୀ ଜୀବନ କାଟୁଛନ୍ତି ଭଦ୍ରକର ଆନନ୍ଦ ପତ୍ରୀ । ପାଖାପାଖି ୫୮ ବର୍ଷ ହେବ ସେ ଜେଲରେ ରହିଛନ୍ତି । ପାକିସ୍ତାନ ଜେଲରେ ଅକଥନୀୟ ଅତ୍ୟାଚାର, ମାନସିକ ଯନ୍ତ୍ରଣା ଭିତରେ ସେ ସମୟ ଅତିବାହିତ କରୁଥିବେ । ଏଥିପାଇଁ ଜେଲରୁ ମୁକୁଳାଇବା ପାଇଁ ଅନୁରୋଧ କରିଛନ୍ତି ତାଙ୍କ ପରିବାର ଲୋକେ । ସେ ଜୀବନ୍ତ ଅଛନ୍ତି କି ମୃତ, ଜଣାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ୧୯୬୨ ମସିହା ଇଣ୍ଡୋ-ଚାଇନା ଯୁଦ୍ଧରେ ସେ ସାମିଲ ହୋଇଥିଲେ। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ସାମିଲ ହୋଇଥିଲେ ଆନନ୍ଦ । ଭାରତ-ପାକିସ୍ତାନ ଯୁଦ୍ଧରେ ସେ ନିଖୋଜ ହୋଇଯାଇଥିଲେ। ନଭେମ୍ବର ୨୦୦୬ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପରିବାର ଲୋକେ । ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଚିଠି ଲେଖାଯାଇଥିଲା । ୨୦୦୬ରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କୁ ଅବଗତ କରାଯାଇଥିଲା । ତେବେ ୧୨ ବର୍ଷରୁ ଅଧିକ ସମୟ ଯୁଦ୍ଧ ବନ୍ଦୀ ଭାବେ ରଖିବାକୁ ଅନୁମତି ନଥିବାବେଳେ ଆନନ୍ଦ ପତ୍ରୀଙ୍କୁ ମୁକୁଳାଇବାରେ ସମସ୍ୟା କେଉଁଠି ବୋଲି ପରିବାର ଲୋକଙ୍କ ପ୍ରଶ୍ନ ।