ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୪.୦୨): ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଘୋଷଣା କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯୁଦ୍ଧର ପ୍ରାଥମିକ ପର୍ଯ୍ୟାୟରେ ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ମାତ୍ର ଆମେରିକା ଓ ୟୁରୋପୀୟ ସଂଘ ରାଷ୍ଟ୍ରର ସହଯୋଗ ମିଳିବା ପରେ ୟୁକ୍ରେନ ଏହାର ଆକ୍ରମଣକୁ ଜୋରଦାର କରିଥିଲା। ଏପରିକି ରୁଷ୍ କବଳରୁ ୟୁକ୍ରେନ ଏହାର ଅଞ୍ଚଳକୁ ମୁକ୍ତ କରିବାରେ ସଫଳ ହୋଇଥିଲା। ୟୁକ୍ରେନର ସାମରିକ ଓ ସାଧାରଣ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରିବା ଦ୍ବାରା ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନେକ ଘରଦ୍ବାର ନଷ୍ଟ ହୋଇଛି। ହଜାର ହାଜର ୟୁକ୍ରେନ ନାଗରିକ ଦେଶ ଛାଡି ପଡୋଶୀ ରାଷ୍ଟ୍ରକୁ ପଳାୟନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୟୁକ୍ରେନର ଖେରସନ, ମାରିଓପୋଲ ଓ ଡୋନବାସ ଆଦି ଅଞ୍ଚଳକୁ ରୁଷ୍ ଅକ୍ତିଆର କରିବାରେ ସଫଳ ହୋଇଥିଲା। ମାତ୍ର ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଦୃଢ ମନୋବଳ ସହିତ ଆକ୍ରମଣ ଜାରି ରଖିଥିଲେ। ଯୁଦ୍ଧର ପ୍ରଥମରୁ ମନେ ହେଉଥିଲା ଯେ ୟୁକ୍ରେନ ଆତ୍ମସପର୍ମଣ କରି ନେବ। ମାତ୍ର ଜେଲେନସ୍କିଙ୍କ ନେତୃତ୍ବ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ। ବର୍ଷର ଶେଷ ଭାଗରେ ୟୁକ୍ରେନ ଏହାର ପ୍ରତିଆକ୍ରମଣକୁ ଜୋରଦାର କରିଥିଲା। ୟୁକ୍ରେନ ଆକ୍ରମଣରେ ରୁଷ୍ର ହଜାର ହଜାର ସୈନିକ ପ୍ରାଣ ହରାଇଥିଲେ। ଏପରିକି ରୁଷ୍ ସେନାର ଆତ୍ମବିଶ୍ବାସ ତୁଟି ଯାଇଥିଲା। ୟୁକ୍ରେନ ସେନା ରୁଷ୍ କବଳରୁ ଖେରସନ, ମାରିଓପୋଲ ଆଦି ଅଞ୍ଚଳକୁ ମୁକ୍ତ କରିବାରେ ସଫଳ ହୋଇଥିଲା। ଯୁଦ୍ଧରେ ୟୁକ୍ରେନକୁ ମୁକାବିଲା କରିବା ଲାଗି ପୁଟିନ ଏକଦା ହତାଶ ହୋଇ ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଥିଲେ। ଏହି ଯୁଦ୍ଧ ଅନେକ ସମୟରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ସୃଷ୍ଟି କରିଥିଲା। ଏହି ଯୁଦ୍ଧରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଲେଣି। ଯୁଦ୍ଧ ଲାଗି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ। ଯୁଦ୍ଧ ଯୋଗୁଁ ୮୦ହଜାର ୟୁକ୍ରେନବାସୀ ଦେଶ ଛାଡି ପଳାଇଛନ୍ତି।
ୟୁକ୍ରେନ ବିରୋଧରେ ରୁଷ୍ର ସାମରିକ ଅଭିଯାନକୁ ନେଇ ବିଶ୍ବ ସମୁଦାୟ ପୁଟିନଙ୍କୁ ନିନ୍ଦା କରିଥିଲେ। ଏଥିପାଇଁ ମିଳିତ ଜାତିସଂଘରେ ରୁଷ୍ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି ଆନ୍ତର୍ଜାତିକ ନ୍ୟାୟିକ ଅଦାଲତ ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ରୁଷ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ଅଦାଲତଙ୍କ ନିର୍ଦେଶକୁ ରୁଷ ଅଗ୍ରାହ୍ୟ କରିଥିଲା। ଯୁଦ୍ଧକୁ ନେଇ ରୁଷ୍ ବିରୋଧରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ସମୁଦାୟ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ। ଫଳରେ ରୁଷ୍ ବ୍ୟାପକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଯୁଦ୍ଧ କରିବା ପରେ ରୁଷ୍ର ଆର୍ଥିକସ୍ଥିତି ଦୁର୍ବଳ ହୋଇଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ୍ରେ କାରଖାନାଗୁଡିକ ବନ୍ଦ କରିଦେଇଥିଲେ। ଯୁଦ୍ଧରେ ୟୁକ୍ରେନ ସମୟରେ ବିଶ୍ବରେ ଅଧିକାଂଶ ରାଷ୍ଟ୍ର ବାହାରିଥିବାବେଳେ ରୁଷ୍ ସପକ୍ଷରେ ବେଲାରୁଷ୍ ଓ ଇରାନ ଭଳି ଅଳ୍ପ ସଂଖ୍ୟକ ରାଷ୍ଟ୍ର ବାହାରିଥିଲେ। ତେବେ ଯୁଦ୍ଧରେ ଭାରତ ଓ ଚୀନ ନିରପେକ୍ଷ ଭୂମିକା ନିର୍ବାହ କରିଆସୁଛନ୍ତି। ଯୁଦ୍ଧ ବନ୍ଦ କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ବାରମ୍ବାର ନିବେଦନ କରିଥିଲେ। ଯୁଦ୍ଧ ବନ୍ଦ କରି ବିବାଦକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦୀ ପରାମର୍ଶ ଦେଇଥିଲେ।
ଯୁଦ୍ଧରେ ଭାରତର ନିରପେକ୍ଷ ଭୂମିକା ବଳବତ୍ତର ରହିଥିବାବେଳେ ଚୀନ ଏବେ ରୁଷ୍ ଆଡକୁ ଢଳିବା ଆରମ୍ଭ କରିଛି। ଦୁଇଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିବା ପୂର୍ବକ ଜେଲେନସ୍କିଙ୍କୁ ମାନସିକ ସମର୍ଥନ ଯୋଗାଇ ଦେଇଛନ୍ତି। ଏହା ପରେ ଯୁଦ୍ଧରେ ରୁଷ୍ର ମନୋବଳ ବଢାଇବା ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ମାସରେ ମସ୍କୋ ଗସ୍ତ କରିବେ ବୋଲି କହିଛନ୍ତି। ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ କେବଳ ଏହି ଦୁଇ ଦେଶ ନୁହନ୍ତି ସମଗ୍ର ବିଶ୍ବରେ ଖାଦ୍ୟ ଓ ଆର୍ଥିକ ସମସ୍ୟା ଦେଖାଯାଇଛି। କାରଣ ରୁଷ୍ ଓ ୟୁକ୍ରେନରୁ ଉତ୍ପାଦିତ ଖାଦ୍ୟଶସ୍ୟ ଉପରେ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ଭରଶୀଳ। ଭାରତ ମଧ୍ୟ ଯୁଦ୍ଧ ଦ୍ବାରା କିଛିକାଂଶରେ ପ୍ରଭାବିତ ହୋଇଛି। ୟୁକ୍ରେନରେ ବହୁସଂଖ୍ୟକ ଭାରତୀୟ ଛାତ୍ର ଡାକ୍ତରୀ ଶିକ୍ଷା କରୁଥିବାବେଳେ ସେମାନେ ଏବେ ଫେରିଆସିଛନ୍ତି। ସେମାନଙ୍କ ପାଢପଢା ଏବେ ଅଧାରେ ଅଟକି ରହିଛି। ସେହିପରି ଯୁଦ୍ଧ ଯୋଗୁଁ ଭାରତରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଘଟିଥିଲା।
ଫେବୃଆରୀ ୨୧ରେ ୟୁକ୍ରେନର ଡୋନବାସ ଅଞ୍ଚଳର ଦୁଇଟି ପ୍ରଦେଶ ଡୋନେକ୍ସ ଓ ଲୁହାନକ୍ସକୁ ରୁଷ୍ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଦ୍ବିତୀୟତଃ ନାଟୋ ସଦସ୍ୟତା ପାଇଁ ୟୁକ୍ରେନର ଉଦ୍ୟମକୁ ରୁଷ୍ ବିରୋଧ କରି ସାମରିକ ଅଭିଯାନ ଆରମ୍ଭ କରିଥିଲା। କାରଣ ୟୁକ୍ରେନ ସୀମାରେ ନାଟୋ ସୈନ୍ୟ ମୁତୟନ ଦ୍ବାରା ରୁଷ୍ ପ୍ରତି ବଡ ବିପଦ ସୃଷ୍ଟି ହେବା ନେଇ ପୁଟିନ ଆଶଙ୍କା କରିଥିଲେ।