ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୮ .୦୨): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି । ଏହି ବୃଦ୍ଧି ସହ ରେପୋ ରେଟ ବଢି ୬.୫୦ ପ୍ରତିଶତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କ ଦ୍ବାରା ବୃଦ୍ଧି କାରଣରୁ ହୋମ ଲୋନ ଗୁଡିକରେ ଇଏମଆଇ ବୃଦ୍ଧି ପାଇବ । ଆରବିଆଇର ଗଭର୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମୌଦ୍ରିକ ନୀତି ସମିତି (ଏମପିସି)ର ତିନି ଦିନ ଧରି ଚାଲିଥିବା ସମୀକ୍ଷା ବୈଯକ ପରେ ରେପୋ ରେଟରେ ୦.୨୫ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏମପିସିର ଛଅ ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ଚାରି ଜଣ ରେପୋ ରେଟ ବଢାଇବା ପକ୍ଷରେ ସହମତି ପ୍ରଦାନ କରିଛନ୍ତି ।ସେ କହିଛନ୍ତି ଯେ ଜାନୁଆରୀ –ମାର୍ଚ ୨୦୨୩ରେ ଉପଭୋକ୍ତା ମୂଲ୍ୟ ସୂଚକାଂକ (ସିପିଆଇ) ଆଧାରିତ ମୁଦ୍ରାସ୍ଫିତି ହାର ୫.୬ ପ୍ରତିଶତ ରହିବାର ଅନୁମାନ ରହିଛି । ଗତ ବର୍ଷ ଏହି ସମୟରେ ଏହାର ହାର ୫.୯ ପ୍ରତିଶତ ରହିଥିଲା । ଆରବିଆଇ ଗଭର୍ଣର ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି ।