ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୨): ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ରାଜ୍ୟ ପାଇଁ ବେଶ୍ ଗୁରୁତ୍ବ ବହନ କରୁଥିଲା ବେଳେ ତାଙ୍କର କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ କରାଯାଇଛି । ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମସ୍ଥଳକୁ ମନା କରାଯାଉଛି, ତାହାର ଉତ୍ତର କାହା ପାଖରେ ନାହିଁ। ଗଣମାଧ୍ୟମର କଣ୍ଠରୋଧ କରିବାକୁ କିଏ କେଉଁ ସ୍ତରରେ ଏମିତି ନିଷ୍ପତ୍ତି ନେଇଛି, ତାହାକୁ ନେଇ ଏବେ ସଚେତନ ନାଗରିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଉପରୁ ନିର୍ଦ୍ଦେଶ ଆସିଥିବାରୁ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନ ଥିବା କହି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି। ସେପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଲାଗି ଫିଡ୍ ଦିଆଯିବ ବୋଲି କୁହାଯାଇଛି। ତେବେ ସାମ୍ବାଦିକଙ୍କୁ ଉତ୍ସବ ସ୍ଥଳକୁ କାହିଁକି ଅନୁମତି ଦିଆଯାଉ ନାହିଁ ସେନେଇ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଓ ପୁଲିସ୍ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଉପରୁ ନିର୍ଦ୍ଦେଶ ଆସିଛି ଯାହା କୁହାଯାଉଛି, ସେହି ‘ଉପର’ କିଏ ତାହା ଏବେ ଚର୍ଚ୍ଚାର ବିଷୟ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସାମ୍ବାଦିକଙ୍କୁ ଅନୁମତି ନ ଦେବାକୁ ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ପ୍ରଶ୍ନ ଉଠୁଛି, ଦେଶର ପ୍ରଥମ ନାଗରିକଙ୍କ ସଭାରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିପାରିବେନି ବୋଲି ଏକ ଉଦ୍ଭଟ ଚିନ୍ତାଧାରା କାହା ମୁଣ୍ଡକୁ ଆସିଲା? ଗଣମାଧ୍ୟମ ନ ଯିବା ଦ୍ବାରା କାହାର କି ଲାଭ ହେବ? ଏପରି ନିଷ୍ପତ୍ତିକୁ ଆଜି ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରି ସରକାର କି ବାର୍ତ୍ତା ଦେବାକୁ ଚାହୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି। କିଛି ସଚେତନ ନାଗରିକ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନକୁ ଟୁଇଟ୍ କରି ଅବଗତ କରାଇଛନ୍ତି। ପୂର୍ବଥର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏଆଇସିଟିଇ ପକ୍ଷରୁ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରେକ୍ଷାଳୟରେ ମାତ୍ର ୩୦୦ ସିଟ୍ ଥିବା ବେଳେ ସେଠାରେ ସାମ୍ବାଦିକଙ୍କ ପାଇଁ ୩୦ ସିଟ୍ ସଂରକ୍ଷିତ ରଖାଯାଇଥିଲା। ସୁରୁଖୁରରେ କାର୍ଯ୍ୟକ୍ରମ ହୋଇଥିଲା। କୌଣସି ପ୍ରକାର ବିଶୃଙ୍ଖଳା କି ଅବ୍ୟବସ୍ଥା ହୋଇ ନ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଶିକ୍ଷାବିତ୍ମାନେ ଅଂଶଗ୍ରହଣ କରିଥିଲେ। ଯଦି ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ ଯାଇପାରିଲେ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ବେଳକୁ କେଉଁଠି ଅସୁବିଧା ରହିଲା ତାହା ବୁଝାପଡ଼ୁ ନାହିଁ।