ବ୍ୟୁରୋ: ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପରେ କେବଳ ଭାରତ ନୁହେଁ, ବିଦେଶରୁ ମଧ୍ୟ ଲକ୍ଷାଧିକ ଭକ୍ତ ବିଭିନ୍ନ ସମୟରେ ଶ୍ରୀରାମଙ୍କ ଉଦେ୍ଦଶ୍ୟରେ ଅନେକ ଉପହାର ଦେଉଛନ୍ତି । ଯାହା କି ଶ୍ରୀରାମଙ୍କ ପ୍ରତି ସେମାନଙ୍କର ଭକ୍ତି ଏବଂ ଶ୍ରଦ୍ଧାର ପରିଚୟ ଦେଉଛି । ଏହାରି ଭିତରେ ମଧ୍ୟପ୍ରଦେଶର ଜନୈକ ପୂର୍ବତନ ଆଇଏଏସ ଅଧିକାରୀ ଦମ୍ପତି ଏକ ବହୁମୂଲ୍ୟ ଭେଟି ଦେଇଛନ୍ତି । ସେମାନେ ୫ କୋଟି ମୂଲ୍ୟର ୨୪ କ୍ୟାରେଟ ସୁନାରେ ତିଆରି ରାମଚରିତ ମାନସ ଉପହାର ପ୍ରଦାନ କରିଛନ୍ତି । ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦିଆ ଯାଇଥିବା ସୂଚନା ମୁତାବକ, ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣନ୍ ଓ ପତ୍ନୀ ସରସ୍ୱତୀ ଚୈତ୍ର ନବରାତ୍ରୀ ଉପଲକ୍ଷେ ଏହି ଭେଟି ଦେଇଛନ୍ତି । ୫୨୨ ପୃଷ୍ଠା ବିଶିଷ୍ଟ ଏହି ମାନସର ମୋଟ ଓଜନ ୧୪୭ କିଲୋଗ୍ରାମ ରହିଛି। ପ୍ରତି ପୃଷ୍ଠାର ମୋଟାଇ ୧ ମିମି ରହିଛି। ମାନସ ନିର୍ମାଣର ମୂଳ ପଦାର୍ଥ ତମ୍ବା ଥିବା ବେଳେ ରୁପା ଓ ସୁନାର ପରସ୍ତ ଏହାଉପରେ ଚଢ଼ାଯାଇଛି। ଏହାକୁ ଚେନ୍ନାଇର ଏକ ଘରୋଇ ଅଳଙ୍କାର ପ୍ରତିଷ୍ଠାନ ନିର୍ମାଣ କରିବା ସହ ଏହାକୁ ଧରି ରଖିବାକୁ ଏକ ସ୍ବତନ୍ତ୍ର ଧାରକ ମଧ୍ୟ ପ୍ରସ୍ତୁତ କରାଯାଇଛି। ପରିବହନର ସୁବିଧା ଦୃଷ୍ଟିରୁ ଏହାକୁ ଅଲଗା ଅଲଗା କରି ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପରିସରରେ ସମସ୍ତ ପୃଷ୍ଠାକୁ ଯୋଡ଼ାଯାଇଥିଲା।