ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର ଓ ଦେବଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୬୮୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୨୪୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୫୨ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ସେହିପରି ଏବେ ସୁଦ୍ଧା ରାଜ୍ୟରେ ୧୨୧୧୧୧୪୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।