ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଇଙ୍ଗିତ କରୁଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୬୫.୪୨% ଅପରାଧ ବୃଦ୍ଧି ପାଇଛି । ବିଧାନସଭାରେ ଗୃହ ବିଭାଗର ଶ୍ୱେତପତ୍ର ଆସିବା ପୂର୍ବରୁ ୨୦୨୨ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୭୮ହଜାର ୧୯୦ଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ୨୦୧୮ ମସିହା ତୁଳନାରେ ଏହା ମୋଟ ୭୦୭୮୨ଟି ଅଧିକ ଅର୍ଥାତ ୬୫.୪୨% ଅଧିକ ବୋଲି ଜଣାପଡ଼ିଛି । ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ଅଛି କହି ରାଜ୍ୟ ସରକାର ଏସବୁକୁ ଏଡ଼ାଇ ଯାଉଥିଲେ । ତେବେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଦେଇଥିବା ଲିଖିତ ଉତ୍ତର ଅନୁସାରେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଚୋରି ଓ ଡକାୟତି ମାମଲା ବୃଦ୍ଧି ପାଇଛି । ୨୦୧୮ରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧ଲକ୍ଷ ୭ହଜାର ୪୦୮ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୧ଲକ୍ଷ ୨୧ହଜାର ୫୨୫, ୨୦୨୦ରେ ୧ଲକ୍ଷ ୩୪ହଜାର ୨୩୦ଟି, ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ଟି ଓ ୨୦୨୨ରେ ୧ଲକ୍ଷ ୭୮ହଜାର ୧୯୦ଟି ମାମଲା ପଞ୍ଜିକୃତ ହୋଇଛି । ୨୦୨୨ ମସିହାରେ ୩୧୮୪ଟି ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ଥିଲା ।