ରାଜ୍ୟରେ ଅସମ୍ଭାଳ ତାତି। ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆହୁରି ୨ଦିନ ପ୍ରବଳ ଖରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା । ଆଜି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ବେଳେ ଆସନ୍ତାକାଲି ବି ଅସ୍ତବ୍ୟସ୍ତ କରିବ ତାତି । ଆଜିଠୁରୁ ଆସନ୍ତାକାଲି ତାପମାତ୍ରା ଆହୁରି ବଢିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଖରା ନେଇ ଆଲର୍ଟ ହୋଇଛି। କିଛି ସ୍ଥାନରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା । କାଲି ପାଇଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲଏପୁର ଓ ଝାରସୁଗୁଡାକୁ ଆଲର୍ଟ କରାଯାଇଛି । ଏହିପରି ୩୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ,ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ । ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାଢେ ୧୧ଟା ସୁଦ୍ଧା ଯଦି ରିପୋର୍ଟ ଉପରେ ନଜର ପକାଇବା ତେବେ, ୩୮ ଡିଗ୍ରୀ ଟଫିଛି ପାରଦ । ସମ୍ୱଲପୁର ତାପମାତ୍ରା ୩୮.୮ ଡିଗ୍ରୀ, ଝାରସୁଗୁଡା ୩୮, ହୀରାକୁଦ ୩୭.୪ ଡିଗ୍ରୀ, ବାଲେଶ୍ୱର ୩୫.୫ ଓ ଚାନ୍ଦବାଲି ୩୫.୬ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି । ଗତ ୨୪ ଘଣ୍ଟାରେ ସବୁଠୁ ଉତ୍ତପ୍ତ ଥିଲା ଝାରସୁଗୁଡ଼ା । ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜଧାନୀ ଭୁବନେଶ୍ବରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।