ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୨): ରାଜଧାନୀ ଭୁବନେଶ୍ୱର ଏବେ ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଏଠାକାର ଯୁବପୀଢ଼ି ନିଶା କବଳରେ ପଡ଼ି ଆଉ ମୁକୁଳି ପାରୁନାହାନ୍ତି । କାରଣ ଏଠାରେ ନିଶା କାରବାର ଏତେମାତ୍ରାରେ ବଢ଼ିଗଲାଣି ଯେ, ରାଜ୍ୟ ବାହାର ର ନିଶା ବେପାରୀମାନେ ଏଠାରେ ଆଡ୍ଡା ଜମାଇ ବସିଛନ୍ତି । ବ୍ରାଉନସୁଗର, କୋକେନ, ହେରୋଇନ, ନିଶା ବଟିକା ଓ ଇଞ୍ଜେକସନ ରାଜଧାନୀକୁ ଅନ୍ୟ ରାଜ୍ୟରୁ ସପ୍ଲାଏ ହେଉଛି । ସେହିପରି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ, ଭାଙ୍ଗ ପରି ନିଶାଦ୍ରବ୍ୟ ଚାଲାଣ କରାଯାଉଛି । ତେବେ କେବଳ ସହରରେ ନୁହେଁ, ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ଡ୍ରଗ୍ସ ନିଶା କ୍ୟାନସର ପରି ମାଡ଼ି ଚାଲିଛି ।
ଜଣାପଡ଼ିଛି, ରାଜଧାନୀରେ ୮ଟି ରାଜ୍ୟର ନିଶା ବେପାରୀଙ୍କ ସାମ୍ରାଜ୍ୟ ଗଢ଼ି ଉଠିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ବାହାରର ୧୬ ଜଣ ନିଶା ମାଫିଆଙ୍କୁ ପୋଲିସ ଗିରଫ କରିଛି । ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାର, ଆସାମ ଓ ମହାରାଷ୍ଟ୍ରର ମାଫିଆମାନେ ଓଡ଼ିଶାରେ ନିଜକୁ ସୁରକ୍ଷିତ ମଣୁଛନ୍ତି । ତେବେ ନିଶା କାରବାରର ଏହି ମାଷ୍ଟରମାଇଣ୍ଡଙ୍କର ନେଟୱାର୍କ ଏତେ ଲମ୍ବା ଯେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସେମାନେ ଛୁ ମାରିବାରେ ସକ୍ଷମ ହେଉଛନ୍ତି । କିଛି ପୋଲିସ ଅଧିକାରୀ ମଧ୍ୟ ସେମାନଙ୍କ ସହ ସଂପର୍କରେ ରହିଥିବା କୁହାଯାଉଛି । ତେଣୁ ଏନେଇ ଆଗକୁ ଆଗକୁ ସଚେତନ ନହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।