ରାଜଧାନୀ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନାନୁସାରେ, ମୃତକ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିର କାର୍ତ୍ତିକ ସାହୁ। କାର୍ତ୍ତିକଙ୍କୁ ୫ ଜଣ ଦୁର୍ବୃତ୍ତ ଘରୁ ଡାକିନେଇ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଓ କେଉଁକାରଣ ପାଇଁ ହତ୍ୟା କରାଯାଇଛି ତାହା ଜଣାପଡିନି । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିଲେ ଜଣାପଡିବ କିପରି ହତ୍ୟା କରାଯାଇଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ଖାରବେଳନଗର ଥାନା ଅନ୍ତର୍ଗତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ପଛପଟେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିଲା। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚିଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ଏଭଳି ହତ୍ୟାକାଣ୍ଡ ପାଇଁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।