ଭୁବନେଶ୍ଵର : ଫିକା ପଡିବ ଦୋଳ, ହୋଲି। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ସତର୍କତାକୁ ଦୃଷ୍ଟିରେ ରାଜଧାନୀରେ କଟକଣା ମଧ୍ୟରେ ହେବ ଦୋଳ ମେଳଣ। ଏଥିପାଇଁ ବିଏମସିର ଗାଇଡଲାଇନ୍ ପ୍ରକାଶ ପାଇଛି। ଦୋଳ, ହୋଲି ପାଇଁ ବିଏମସି କଟକଣାକୁ ଆହୁରି କଡାକଡି କରିଛି। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିବ। ଦୋଳ ବିମାନ ନେଲା ବେଳେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ମନା। ସେହିପରି ବିମାନ କାନ୍ଧେଇଥିବା ଲୋକ ଠିକ୍ ଭାବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଦୋଳ ମେଳଣରେ ସର୍ବାଧିକ ୫୦ ରୁ ୬୦ ଜଣ ଲୋକ ସାମିଲ ହେବାକୁ ଅନୁମତି ମିଳିଛି। ଏହି ସମୟରେ ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମେଳଣରେ କିଭଳି ଭାବରେ ସର୍ବାଧିକ ୬୦ ଜଣ ଉପସ୍ଥିତ ରହିବେ ସେନେଇ ଆୟୋଜକ ନିଶ୍ଚିତ କରିବେ। ମେଳଣରେ ଯାତ୍ରା, ମେଲୋଡି, ମୀନା ବଜାର ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ଯଦି ମେଳଣ ଆୟୋଜନ କରାଯାଏ ତେବେ ଏଥିପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡିବ। ମନ୍ଦିର ଭିତରେ ଦୋଳ ନୀତି ପାଳନ ହେବ। କେହି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ।