ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ୨୫ ଜୁଲାଇ, ୨୦୨୨ ଦିନଟି ଥିଲା ସ୍ୱତନ୍ତ୍ର । ସେହି ସ୍ୱତନ୍ତ୍ର ମୂହୂର୍ତ୍ତର ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର ସଂସଦ । ପ୍ରତିଟି ଭାରତୀୟଙ୍କ ସମେତ ସାଢେ ୪ କୋଟି ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡି ହୋଇଥିଲା ନୂଆ ଅଧ୍ୟୟ । ଇତିହାସର ଏକ ସ୍ୱର୍ଣ୍ଣିମ ପୃଷ୍ଠାରେ ସ୍ଥାନ ପାଇଥିଲା ସେହି ତାରିଖ ଯବେ ଦେଶ ପାଇଥିଲା ୧୫ତମ ରଷ୍ଟ୍ରପତି । ମହାମହିମ ମୁକୁଟ ମଣ୍ଡନ କରିଥିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଆଜିକୁ ଠିକ୍ ବର୍ଷେ ତଳେ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ଥିଲେ ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରଷ୍ଟ୍ରପତି । ଏହାରି ଭିତରେ ଦେଶର ସର୍ବୋଚ୍ଚ ପଦବୀରେ ତାଙ୍କର ଏକବର୍ଷ ପୂରଣ ହୋଇଛି । କ୍ଲାସ ମନିଟରରୁ ସୁପ୍ରିମ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ପ୍ରତିଟି ଓଡିଆ ଗର୍ବିତ । ୧୯୮୫ ମସିହା ଜୁନ ୨୦ ତାରିଖରେ ବାପା ବିରଞ୍ଚି ନାରାୟଣ ମୁର୍ମୁ ଓ ମାଆ ସିନାଗୋ ଟୁଡୁଙ୍କ କୋଳମଣ୍ଡନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏକ ସାଧାରଣ ପରିବାରରେ ଜନ୍ମ । ଶ୍ରେଣୀରେ ମନିଟର ଥିବା ଝିଅଟିଏ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ତାହା କାହାକୁ ବା ଜଣାଥିଲା । କ୍ଲାସ୍ ମନିଟର ହେବା ବୋଧ ହୁଏ ଦେଶର ସର୍ବୋଚ୍ଚ ପଦବୀରେ ବସିବାର ମୂଳଦୁଆ ଥିଲା । ଶିକ୍ଷୟିତ୍ରୀରୁ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ୧୯୯୭ରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ।
ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଆଜି ଗୋଟିଏ ବର୍ଷ ପୁରଣ ହୋଇଛି । ରାଇରଙ୍ଗପୁର ଝିଅ ଆଜି ପିପୁଲ୍ସ ପ୍ରେସିଡେଣ୍ଟ । ଏତେ ବଡ଼ ପଦବୀରେ ଥାଇ ବି ସେ ସାଧାରଣ ଜୀବନ ବଞ୍ଚନ୍ତି । ରାଷ୍ଟ୍ରପତି ଭବନରେ ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ରାଷ୍ଟ୍ରପତି ଭବନରେ ସେ ଓଡିଆ ଖାଦ୍ୟ ଶାଗ, ପଖାଳ ବଡିଚୁରା ଖାଇଥାଆନ୍ତି । ତାଙ୍କ ଏକ ବର୍ଷ କାର୍ୟ୍ୟକାଳ ସମୟରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ବର୍ଷେ କାର୍ୟ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ଲୋକଙ୍କ ନିକଟତର ହୋଇଛନ୍ତି । ରାଷ୍ଟ୍ରପତି ହେବା ପରେ ଆଜି ସେ ଚତୁର୍ଥ ଥର ପାଇଁ ଓଡ଼ିଶା ଆସୁଛନ୍ତି । ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସେ ତେଜପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡି ସାହସିକତାର ପରିଚୟ ଦେଇଥିଲେ । ରାଷ୍ଟ୍ରପତି ଭାବେ ସେ ତାଙ୍କ କାର୍ୟ୍ୟକୁ ନିପୁଣତାର ସହିତ ନିର୍ବାହ କରିଛନ୍ତି ।