ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନହୋଇ କେବଳ ଶୁଖୁଲା ଭୋଗ ହୋଇଥାଏ । ଗୋପାଳବଲ୍ଲଭ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଧୂପରେ ମୁଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ସ୍ଵତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ । ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡ଼ିକୁ ସମାପନ କରିଥାନ୍ତି । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ବଡ଼ ସାନ ମନୋହର – ୧୬ ମୂର୍ତ୍ତି, ପଶୁପାଳକ କାକରା- ୯ ମୂର୍ତି, ତାଟ ବାବଦ ନାଡ଼ି- ୮ ମୂର୍ତି, ଗଜା ବଡ଼ ସାନ- ୪ମୂର୍ତି, ଟାକୁଆ- ୨ ମୂର୍ତ୍ତି, ଫେଣି- ୧ ମୂର୍ତି, କାକରା- ୧୨ ମୂର୍ତ୍ତି, ଡାଳିମ୍ବ – ୩୦ ମୂର୍ତ୍ତି, ଟାକୁଆ ସାନ ସରା- ୪ ମୂର୍ତି, ଗଜା- ୧୫ ମୂର୍ତ୍ତି, ସୁଆର ନଡ଼ୁ – ୧୪ ମୂର୍ତ୍ତି ଓ କାକରା- ୫ ମୂର୍ତ୍ତି ଅନ୍ତର୍ଭୁକ୍ତ । ଏତଦ୍ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା- ୭୪ ମୂର୍ତି, ଖଇ- ୨୧ ଓଳି, ବଡ଼ କାକରା- ୪୮ ମୂର୍ତ୍ତି, ଉଠା କାକରା- ୨୬ ମୂର୍ତି, ମହା ପ୍ରଶସ୍ତ ମନହର- ୮ ମୂର୍ତ୍ତି, ବଡ଼ ଅମାଲୁ – ୩୦ ମୂର୍ତ୍ତି, ସାନ ଅମାଲୁ- ୬୧ ମୂର୍ତ୍ତି, ଝଡ଼େଇ ନେଦା- ୧ ତାଡ଼, ମାଣ୍ଡୁଅ- ୨୭ ମୂର୍ତି, ଟାକୁଆ- ୨୨ ମୂର୍ତ୍ତି, ଟାକୁଆ ବଡ଼ସରା- ୪ ମୂର୍ତ୍ତି, ରଥ ମନହର- ୨୬ ମୂର୍ତ୍ତି, ମରିଚ ନଡ଼ୁ- ୧୦୪ ମୂର୍ତ୍ତି ଉଲ୍ଲେଖ ଥିବା ଜଣାଯାଏ । ଅନେକ ବର୍ଷ ପୂର୍ବରୁ ଏପରିକି ସ୍ୱତ୍ତ୍ଵଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ । ସମ୍ପ୍ରତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ୟ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡ଼ିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥ ଉପରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି । ଗତକାଲି ପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲା ପରେ ପ୍ରଥମ ଆଡ଼ପ ଅଭଡ଼ା ଆଜୀ ପ୍ରସ୍ତୁତି ହୋଈ, ଭକ୍ତ ଗଣ ପ୍ରାସାଦ ବ୍ରାହ୍ମଣ କୁ ସେବନ କରାଇ ନିଜେ ମଧ୍ୟ ପ୍ରାସାଦ ର ଆନନ୍ଦ ଲାଭ ନେଇଛନ୍ତି।