ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ଥାଏ।ଗତକାଲି ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହୋଇଛନ୍ତି । ତେବେ ଆଜି ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ ଦେବେ । ଦୀର୍ଘ 26 ବର୍ଷ ପରେ ପଡିଥିବା ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ନିଜ ଚର୍ମ ଚକ୍ଷୁରେ ଦେଖିବାର ସୁଯୋଗ ପାଉଛନ୍ତି। ଗତକାଲି ବଡଛତା ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହୋଇଛି । ତେଵେ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସୋଲ, ଜରି, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ। ଦୁର୍ଲଭ ପଦ୍ମ ବେଶ ଲାଗି ଭୁବନେଶ୍ୱରର ଚିନ୍ତାମଣି ଦାସ ମହାପ୍ରଭୁଙ୍କ ଠାରେ ପ୍ରାୟ ୫ ହଜାରରୁ ଅଧିକ ପଦ୍ମ ଫୁଲ ଅର୍ପଣ କରିଛନ୍ତି। ୧୧ବର୍ଷ ଧରି ସେ ଏହି ଫୁଲ ଯୋଗାଇ ଆସୁଛନ୍ତି । ତେବେ ସକାଳୁ ମଙ୍ଗଳ ଆଳତି ପରେ ପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ।