ଯାତ୍ରା ଆରମ୍ଭ ପୂର୍ବରୁ ଘଟିଲା ଅଘଟଣ । ଯାତ୍ରା ପାର୍ଟି ସମ୍ମୁଖରେ ଉଚ୍ଚ ଲୁହାର ଏଣ୍ଟ୍ରି ଗେଟ୍ ଭୁଷୁଡି ଚାପି ହୋଇଗଲା ଶତାଧିକ ଦର୍ଶକ । ମହିଳା , ପୁରୁଷ , ବୟସ୍କ ଏମିତିକି ଛୋଟ ଛୋଟ ପିଲା ମାନେ ମଧ୍ୟ ଚାପି ହୋଇଯାଇଥିଲେ ଗେଟ୍ ତଳେ । ଏଭଳି ବଡ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଠାରେ । ଆହତ ଓ ଗୁରୁତର ମାନେ ସାଲେପୁର ସମେତ ବିଭିନ୍ନ ମେଡିକାଲ ରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭର୍ତ୍ତି କରିଥିଲେ । ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ୨୦ରୁ ଉର୍ଦ୍ଧ ଆହତ ଦର୍ଶକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଥିରୁ ୬ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ମାନଙ୍କ ଅବସ୍ଥା ସ୍ଥିର ଥିବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ଘଟଣା ମୁତାବକ ରାଇସୁଙ୍ଗାଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରଜନୀ ରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଅଘଟଣ। ଦର୍ଶକ ଙ୍କ ଭିଡ ବି ପ୍ରବଳ ଥିଲା । ଦର୍ଶକ ମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଦେଇ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଲୁହା ତୋରଣ ଟି ଭୁଷୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଏଭଳି ଗେଟ୍ ଟି ଭୁଷୁଡି ପଡ଼ିଥିବା କୁହାଯାଉଛି । ଯାତ୍ରା ପରିବେଷଣ ବନ୍ଦ ହୋଇଯାଇଥିଲା ।