ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ତ୍ରୃଟିପୂର୍ଣ୍ଣ ସେବା ଯୋଗୁ ଚିକିତ୍ସାଧୀନ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ଉତ୍ତେଜନା ମୂଳକ ପରିସ୍ଥିତି ସହ ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ ଗତକାଲି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ସଠ ଗାଁରେ ଏକ ଭୋଜି ଖାଇ ଅସୁସ୍ଥ ହେବା ପରେ ପ୍ରାୟ ୨୦ ଜଣ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିଲେ। ସେଥିରୁ ୨ ଜଣ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ଆଜି ଶଶି ଭୂଷଣ ବେହେରାଙ୍କ ମୃତ୍ୟୁ ହୋଇଛି। ସେ ଆଜି ସକାଳେ ସୁସ୍ଥ ହୋଇ ଆସୁଥିବା ବେଳେ ମେଡିକାଲରେ ଦିଆଯାଇଥିବା ଖାଦ୍ୟ ଖାଇବା ସହ ବାହାରେ ଚଳାବୁଲା କରିଥିଲେ। କିନ୍ତୁ ମଧ୍ୟାହ୍ନରେ ଦାୟିତ୍ବରେ ଥିବା ନର୍ସ ଇଂନଜେକସନ ଦେଇଥିଲେ। ଇନଜେକସନର ୧୦ ମିନିଟ ପରେ ଶିଶି ଭୂଷଣଙ୍କ ମୃତ୍ୟୁ ହୋଇଥିଲା।
ତେବେ କର୍ମଚାରୀଙ୍କ ଖାମଖିଆଲି ଓ ତ୍ରୁଟିପୂର୍ଣ୍ଣ ଇଂନଜେକସନ ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାଇରିଆ ୱାର୍ଡ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହାକି ନର୍ସ ରୋଗୀଙ୍କ ରକ୍ତଚାପ ପରୀକ୍ଷା ନକରି ଇଂନଜେକସନ ଦେଇଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି। ତେବେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜ ଭାବେ କାର୍ୟ୍ୟ କରିବାକୁ ଯାଉଥିବାବେଳେ ସୁସ୍ଥ ରୋଗୀକୁ ମାରି ଦେବା ଘଟଣାକୁ ପରିବାର ଲୋକ ଗ୍ରହଣ କରିପାରୁନାହାନ୍ତି। ପଡୋଶୀ ଭଦ୍ରକ ଜିଲ୍ଲାର ରୋଗୀ ଭଲ ସେବା ଆଶାରେ ଏହି ଚିକିତ୍ସାଳୟକୁ ଆସୁଥିବା ବେଳେ ବାସ୍ତବରେ ଏଠାରେ ନିମ୍ନମାନର ସେବା ଦିଆଯାଉଥିବା ରୋଗୀ ସଂର୍ପକୀୟ ଓ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଖବର ପାଇ ଯାଜପୁର ଟାଉନ ପୁଲିସ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀବାଶିଷ ମହାରଣା କହିଛନ୍ତି।