ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସଦ୍ୟତମ ଟେଷ୍ଟ ମାନ୍ୟତାରେ ବୁମରା ୩ଟି ସ୍ଥାନ ଉପରକୁ ଉଠି ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କଠାରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛନ୍ତି। ୨ୟ ସ୍ଥାନରେ କାସିଗୋ ରବାଡ଼ା ଓ ୩ୟ ସ୍ଥାନରେ ଭାରତର ରବିଚନ୍ଦ୍ରନ ଅଶ୍ବୀନ ଅଛନ୍ତି । ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଅଛନ୍ତି ।
ବୁମ୍ରା ପ୍ରଥମ ଭାରତୀୟ ଦ୍ରୁତ ବୋଲର ଯିଏ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ବିଶାଖାପଟନମ ଟେଷ୍ଟରେ ବୁମ୍ରା ଦୁଇଟି ଇନିଂସରେ ୯୧ ରନ ଦେଇ ୯ ୱିକେଟ ଦଖଲ କରିଥିଲେ। ଭାରତ ଉକ୍ତ ମ୍ୟାଚ୍କୁ ଜିତି ସିରିଜ ୧-୧ ସ୍ଥିତିକୁ ମଧ୍ୟ ଆଣିଛି। ନିଜର ସାଂଘାତିକ ବୋଲିଂ ପାଇଁ ବୁମ୍ରା ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ।
ଏଯାଏ ୩୪ଟି ଟେଷ୍ଟ ଖେଳିଥିବା ବୁମ୍ରା ୧୦ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି। ସେହିପରି ସେ ୧୫୦ ୱିକେଟ ଦଖଲ କରିବାରେ ଭାରତର ଦ୍ରୁତତମ ଦ୍ରୁତ ବୋଲର ହେବାର କୀର୍ତ୍ତିମାନ ହାସଲ କରିଛନ୍ତି।
ବୋଲିଂ ରାଙ୍କିଙ୍ଗକୁ ଦେଖିଲେ ବୁମ୍ରା ୧ନଂରେ ରହିଥିବା ବେଳେ କାଗିସୋ ରବାଡା ୨ନଂରେ ଅଶ୍ୱିନ ୩ନଂରେ, ପ୍ୟାଟ କମିନ୍ସ ୪ନଂରେ ଓ ଜୋଶ ହେଜେଲଉଡ ୫ନଂରେ ରହିଛନ୍ତି।
ଅନ୍ୟପକ୍ଷରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୦୯ ରନର ଇନିଂସ ଖେଳିଥିଲେ। ତାଙ୍କୁ ମଧ୍ୟ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୩୭ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨୯ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡର ଓପନର ଜ୍ୟାକ କ୍ରାଉଲୀ ୮ଟି ସ୍ଥାନ ଉପରକୁ ଉଠି ୨୨ ନମ୍ବରରେ ପହଞ୍ଚିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ମାରିଥିବା କେନ ୱିଲିୟମସନ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି।