ଭୁବନେଶ୍ୱର: ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ ମେ ୩ ତାରିଖରୁ । ୩ ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି। ନିଜ ସ୍କୁଲ୍ରେ ଏଥର ମାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ଅନ୍ୟ ସ୍କୁଲ୍ର ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ସମୟସୀମା। କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ଏଥର ପରୀକ୍ଷାର କାର୍ୟ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ପରୀକ୍ଷାର୍ଥୀ ନିଜ ସ୍କୁଲ୍ରେ ପରୀକ୍ଷା ଦେବେ। କରୋନା ଯୋଗୁ ରହିବା ଓ ଯାତାୟତରେ ଅଭିଭାବକ,ଛାତ୍ରଛାତ୍ରୀ ଅସୁବିଧାର ସାମ୍ନା କରିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କୋଭିଡ୍ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍ ଖୋଲିଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ ହୋଇଥିବାବେଳେ କିଛିଦିନ ତଳେ ଫର୍ମପୂରଣ ଫି’କୁ ସରକାର ଛାଡ୍ କରିଥିଲେ। ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ଏକ ୭୦୦ ପୃଷ୍ଠାର ବହି ‘ପରୀକ୍ଷା ଦର୍ପଣ’ ଦିଆଯିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ।