ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ସହରରେ ମୋବାଇଲ ସହିତ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଚୋରି କରୁଥିବା ଦଳଙ୍କୁ ଧରିବାରେ ସକ୍ଷମ ହୋଇଛି ରାଜଗାଙ୍ଗପୁର ପୋଲିଶ । ସ୍ଥାନୀୟ ଥାନାରେ ମୋବାଇଲ ବ୍ୟତିତ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଚୋରିକୁ ନେଇ ୬ ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲା ଗୁଡିକ ଉପରେ ବିଶେଷ ଗୁରୁତ୍ୱ ଦେଇ ରାଜଗାଙ୍ଗପୁର ଏସଡିପିଓଙ୍କ ନିର୍ଦ୍ଦେଶରେ ଏକ ଦଳ ଗଠନ କରି ଆରମ୍ଭ ହୋଇଥିଲା ଅପରେସନ । ଅଳ୍ପ ଦିନ ଭିତରେ ଅନୁସନ୍ଧାନ କରି ପୋଲିଶ ୭ ଜଣଙ୍କୁ ଗିରଫ କରିଥିଲେ । ସେଥିମଧ୍ୟରୁ ୪ ଜଣ ନାବାଳକ ଥିବା ବେଳେ ୩ ଜଣ ସାବାଳକ ଥିବା ଜଣାପଡିଛି । ଏହି ଚୋର ଦଳ ଗିରଫ ହେବାପରେ ସେମାନଙ୍କ ପାଖରୁ ସମୁଦାୟ ୮୩ ଟି ମୋବାଇଲ ସହିତ ବଳା ୨ଟି , ରିଙ୍ଗ ଖେଳନା ଦୁଇଟି , ସ୍ମାର୍ଟ ଘଡ଼ି ଗୋଟିଏ, ହାତ ଘଣ୍ଟା ଗୋଟିଏ ସମେତ ନଗଦ ରାଶିରୂପେ ୭୦୦୦/- ଟଙ୍କା ଜବତ କରିଛି ପୋଲିଶ । ତେବେ ଥାନାରେ ରୁଜୁ ହୋଇଥିବା ୬ଟି ମାମଲାରେ ସାବାଳକ ମାନଙ୍କର ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଜେଲକୁ ପଠାଇବା ସହ ନାବାଳକ ମାନଙ୍କୁ ଜୁଭେନାଇଲ ସେଣ୍ଟରକୁ ପଠାଯାଇଥିବା ଜଣାପଡିଛି । ତେବେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଆଜି ରାଜଗାଙ୍ଗପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଷେକ ପାଣିଗ୍ରାହୀ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଓ ସହକର୍ମୀଙ୍କ ଉପସ୍ଥିତିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।