ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୬.୦୩): ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ। ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିଛନ୍ତି। ଏଥିସହ କିପରି ହେବ ସର୍ଭେ ସେ ନେଇ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି ।
ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ, ରାଜ୍ୟରେ ଏବେ ମାତ୍ର ୧୧.୨୫ % ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି। ତେବେ ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି, ଯାହାକୁ ବଢ଼ାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି।