ମେ ପହିଲାରୁ ସାରାଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ ରେଜିଷ୍ଟ୍ରେସନ । କୋୱିନ ପୋଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଟିକା ନେବାକୁ ଚାହୁଁଥିଲେ କୋୱିନ ପୋର୍ଟାଲକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ । ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ । ୨କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ବିଳମ୍ବ ହୋଇପାରେ । କାରଣ ମେ ୧ରୁ ଟିକା ଉପଲବ୍ଧ ହେବ କି ନାହିଁ ,ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଞ୍ଜୀକରଣ କଲେ ସୁଦ୍ଧା ବର୍ତ୍ତମାନ ସ୍ଲଟ ଅଫ ଆପଏଣ୍ଟ ମିଳିବ ନାହିଁ । ଯେବେ ଟିକା ଉପଲବ୍ଧ ହେବ ସେହି ଅନୁସାରେ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦିଆଯିବ । ଆପଣ କେଉଁଠି ଟିକା ନେବେ କୋ ୱିନ୍ ପୋର୍ଟାଲରେ ତାହା ଜଣାପଡିବ। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟିକା ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିଭଳି ଏବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଟିକାକରଣରେ ମଧ୍ୟ ବାଧା ଉପୁଜୁଛି। ଟିକା ଅଭାବ ଯୋଗୁଁ ଅନେକ ସ୍ଥାନରେ ଲୋକେ ଫେରିଯାଉଛନ୍ତି। ଆଉ କିଛି ସ୍ଥାନରେ ଟିକାକରଣ ପାଇଁ ନାହିଁନଥିବା ଭିଡ ମଧ୍ୟ ଜମୁଥିବା ଜଣାପଡିଛି ।