ଅଜଣା ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଇ 34 ବର୍ଷିୟ ଯୁବକ । ଗରିବ ହେଲେ ବି ହସ ଖୁସିରେ କଟୁଥିଲା ଜୀବନ, ହେଲେ ଦାଉ ସାଜିଲା ଦଇବ । ହଠାତ୍ ବାପା ମାଙ୍କ ବିୟୋଗ ପରେ ସତେ ଯେମିତି ଚଡ଼କ ପଡ଼ିଲା । ଆଉ ଏବେ ବଞ୍ଚିବା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମା, ବାପାଙ୍କୁ ହରାଇବା ପରେ ଘରେ ଭାଇ , ଭାଉଜଙ୍କ ସହ ରହୁଥିଲେ । ପେଟପାଇଁ ଏକ ହୋଟେଲ ରେ କାମ କରୁଥିଲେ । ମାତ୍ର ଗତ ଆଠ ମାସ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶରୀର ସାରା କଲା ପଡିବା ସହିତ କିଛି କିଛି ସ୍ଥାନରେ ଧଳା ଧଳା ଦାଗ ସୃଷ୍ଟି ହୋଇଥିଲା । ଆଉ ଯେଉଁଥି ପାଇଁ ତାଙ୍କୁ ହୋଟେଲରୁ ଚାକିରୀ ଛାଡିବା ପାଇଁ ପଡିଥିଲା । ବର୍ତମାନ ଚଲା ବୁଲା କରିବା ତାଙ୍କ ପାଇଁ ବଡ କଷ୍ଟ ସାଧ୍ୟ ହୋଇପଡିଲାଣି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ପିପିଲି ପାଲ୍ଲି ଗାଁରେ ବିରେନ୍ଦ୍ରଙ୍କ ସହ । ବିରେନ୍ଦ୍ର ଦିନ ତମାମ ଘର ବାରଣ୍ଡାରେ ପଡି ରହୁଛନ୍ତି । ଆଉ ନିଜ କାମ ନିଜେ କିଛିବି କରିବାକୁ ସକ୍ଷମ ନୁହନ୍ତି । ବିଭିନ୍ନ ଅସୁବିଧା ସକାଶେ ଆଜି ପର୍ଯ୍ୟନ୍ତ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଖଣ୍ଡେ ପାଇବା ପାଇଁ ମଧ୍ୟ ସକ୍ଷମ ହୋଇପାରି ନାହାନ୍ତି । ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ ହୋଇଯିବ ତା ହେଲେ ଯେ କୌଣସି ଡାକ୍ତରଖାନାରେ ଚିକିତ୍ସା କରି ପାରିବି ବୋଲି ବିରେନ୍ଦ୍ର କହିଛନ୍ତି । କେମିତି ବିଜୁ ସ୍ୱାସ୍ଥ୍ୟ କାର୍ଡ କରାଯାଏ ସେ ବିଷୟରେ ସେ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି । ତେବେ ପ୍ରଶ୍ନ ଆସୁଛି ଏସବୁ ସରକାରୀ ସୁବିଧା କାହାପାଇଁ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପାଇବା ପରେ କିଏ ବଢାଉଛି ସାହାଯ୍ୟର ହାତ ।