ହାଇଟେକ୍ ହସ୍ପିଟାଲ ଆଗରେ ୮ ଦିନ ହେଲା ଜ୍ୟୋତିରଞ୍ଜନଙ୍କ ପରିବାର । ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି ।
ହାଇଟେକ୍ ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଆଇନଗତ ଏବଂ ନୈତିକତା ଦୃଷ୍ଟିରୁ ଆମେ ଠିକ୍ । ମୃତଦେହ ଚିହ୍ନଟ ପରିବାର ଲୋକ କରିଛନ୍ତି, ଆମର କିଛି ଭୁଲ୍ ନାହିଁ।
ହାଇଟେକ୍ ପକ୍ଷରୁ ସିଇଓ ସ୍ମିତା ପାଢୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଗଣମାଧ୍ୟମ ଆଗରେ କହିଛନ୍ତି, ପରିବାର ମୃତଦେହ ଚିହ୍ନଟ କରିପାରିନାହାନ୍ତି, ଆମେ କିପରି କରି ପାରୁବୁ। ତା’ ଛଡ଼ା ସେମାନେ ଆମ କର୍ମଚାରୀ ନୁହନ୍ତି, ସେମାନେ ଆଉଟସୋସିଂ କର୍ମଚାରୀ। ଦୁର୍ଘଟଣା ପରେ ୪ ଜଣଙ୍କୁ ତାଙ୍କ ଠିକାଦାର ଆଡମିଶନ କରାଇଥିଲେ, ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ତେଣୁ ଏଥିରେ ଆମର ଦୋଷ ନାହିଁ।
ଗତ ୩୦ ତାରିଖରେ ଦିଲୀପ ପରିଚୟରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଆମେ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକ ନେଇଥିଲେ ।
କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲୀପ ବୋଲି କହିଥିଲେ । ଏହା ପରେ ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଇଥିଲା । ଏପରିକି ସେ ଦିଲୀପଙ୍କ ବହୁ ବ୍ୟକ୍ତିଗତ ତଥ୍ୟ ବି ଠିକ୍ ଭାବେ ଦେଇ ପାରିଥିଲେ।
ଏହାପରେ ତୁରନ୍ତ ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ । ଉଭୟ ପରିବାର ଚିହ୍ନଟରୁ ଜୀବୀତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା । କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ । ଆମେ ପୁଲିସ୍କୁ ମୃତଦେହ ଦେଇଛୁ, ପରିବାର ଲୋକଙ୍କୁ ଦେଇନୁ । ପରିଚୟ ଜାଣିବା ଆମ କାମ ନୁହେଁ ବରଂ ଚିକିତ୍ସା କରିବା ଆମ କାମ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି ।
ଏପରି ସାଂଘାତିକ ତ୍ରୁଟିକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଜ୍ୟୋତି ମଲ୍ଲିକଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟ। ସେମାନେ କହିଛନ୍ତି, ‘ଯଦି ଦିଲ୍ଲୀପ ଜୀବିତ ତା’ହାଲେ ଜ୍ୟୋତି କୁଆଡେ ଗଲା ? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ । ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ କେଉଁଠି ଅଛି । ଯଦି ଜ୍ୟୋତି ମୃତ, ତା’ହେଲେ ମୃତଦେହ ଫେରାଅ ବୋଲି ସେମାନେ ଦାବି କରିଛନ୍ତି।