ବ୍ୟୁରୋ: ବୁଧବାର ଖେଳା ଯାଇଥିବା IPL ମ୍ୟାଚରେ ୩୧ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ (SRH) ୨୭୭ ରନ୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ (MI) ୨୪୬ରେ ଅଟକି ଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। ଏହି ସ୍କୋର ସହିତ ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ (ଗୋଟିଏ ମ୍ୟାଚ୍ରେ) ହାସଲକାରୀ ଦଳ ବନି ଯାଇଛି ସନରାଇଜର୍ସ ହାଇଦ୍ରାବାଦ । ଦଳ ପକ୍ଷରୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହେନ୍ରିଚ୍ କ୍ଲାସେନ ୩୪ଟି ବଲ୍ରେ ଅପରାଜିତ ୮୦ ରନ୍ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ ଓଭରରେ ସବୁଠୁ କମ୍ ୩୬ ରନ୍ ଦେଇଥିବା ବେଳେ କୱେନା ମାଫାକା ୪ ଓଭରରେ ୬୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬, ଗେରାଲ୍ଡ କୋଏଜି ୪ ଓଭରରେ ୫୭, ପୀୟୂଷ ଚାୱାଲା ୨ ଓଭରରେ ୩୪ ଓ ଶାମ୍ସ ମୁଲାନି ୨ ଓଭରରେ ୩୩ ରନ୍ ଦେଇଥିଲେ। ୨୭୮ ରନ୍ର ବିଜୟ ଲକ୍ଷ୍ୟ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୨୪୬ ରନ୍ କରିଥିଲା। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୬୪ ରନ୍ (୩୪ ବଲ୍, ୨ ଚୌକା, ୬ ଛକା) କରିଥିଲେ। ରୋହିତ ଶର୍ମା ୧୨ଟି ବଲ୍ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୨୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଈଶାନ କିଷନ ୧୩ଟି ବଲ୍ରୁ ୨ଟି ଚୌକା ଓ ୪ଟି ଛକା ମାରି ୩୪ ରନ୍ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଜୟଦେବ ଉନାଦକଟ୍ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଶାହବାଜ ଅହମଦ ଗୋଟିଏ ୱିକେଟ୍ ନେଇଥିଲେ।