ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୯.୦୨): ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିପୁଳ ବିଜୟ ପରେ ଖୁବ୍ ଶୀଘ୍ର ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷରେ କଥା ରଖିଲେ ନବୀନ । ରବିବାର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ୍ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତରେ ଯାଇ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ସତୀଭଟ୍ଟା ଏୟାରଷ୍ଟ୍ରିପ୍ ରେ ପହଁଚିବା ପରେ ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପ୍ୟାଡ୍ ରେ ଓହ୍ଲାଇଥିଲେ । ପରେ ସାଢେ ୧୨ଟାରେ ପାଇକମାଳ ଠାରେ ପହଁଚି ଏକ ସାଧାରଣ ଜନସଭାରେ ଉଦ୍ବୋଧନ ଦେଲାପରେ ପଦ୍ମପୁର ଆର୍ଏଲ୍ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍ ରେ ଅବତରଣ କରିଥିଲେ । ମଧ୍ୟାହ୍ନ ଭୋଜନ ସାରି ନବୀନ ଅପରାହ୍ନ ୩.୪୫ରେ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଆଉ ଏକ ଜନସଭାରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ୍ ୨୫ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ । ଏହାଛଡ଼ା ୫ଜଣ ଏଏସ୍ ପି, ୧୬ ଜଣ ଡିଏସ୍ ପି , ୩୨ ଜଣ ଇନ୍ସପେକ୍ଟର ଏବଂ ୧୦୦ ଜଣ ଏସ୍ଆଇ ଓ ଏଏସ୍ ଆଇ ନିୟୋଜିତ ହୋଇଥିଲେ ।