ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ହୋଇଛି । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୦୦୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନର ରିଲିଫ୍ ସାମଗ୍ରୀ ପଠାଇଛନ୍ତି । ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଅନେକ ପୋଲ ଭାଙ୍ଗି ଯାଇଛି । ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । କିଛି ସ୍ଥାନ ମୃତ୍ୟୁର ଇଲାକା ପାଲଟି ଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମ୍ୟାରର ଦ୍ବିତୀୟ ବୃହତ ସହର ନାପିଡୋ ।