ମାଲକାନଗିରି: ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରୁଛନ୍ତି ମାଲକାନଗିରି ବାସୀ । ଜିଲ୍ଲାର ସାତୋଟି ଯାକ ବ୍ଲକ ରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ। ପ୍ରବଳ ଗରମକୁ ଆଖି ଆଗରେ ରଖି ଲୋକେ ସକାଳରୁ ହିଁ ଭୋଟ ଦେବା ପାଇଁ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। କିଛି ଭୋଟ ଦାନ କେନ୍ଦ୍ରରେ ଇଭିଏମ ମେସିନ ଖରାପ ହେବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଆଜି ସକାଳ ୭ଟା ରୁ ମାଲକାନଗିରି ଜିଲ୍ଲାର ୧୪୬ ମାଲକାନଗିରି ଓ ୧୪୭ ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀର ଭୋଟିଂ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୩୦ ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି। ୧୦ ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର, ପର୍ୟ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ୟ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ମାଲକାନଗିରିରେ ଏହାକୁ ୭ରୁ ୫ ଟା ପର୍ୟ୍ୟନ୍ତ ରଖାଯାଇଛି ବୋଲି କୁହାଯାଇଛି। ସେହିପରି ସ୍ବାଭିମାନ ଅଂଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ଥର ପାଇଁ ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ ହେଉଛି । ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଛି।