ରାସନ କାର୍ଡ ଇ-କେୱାଇସି କରିନଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ପୁଣି ବଢିଲା ରାସନ କାର୍ଡ ଇ-କେୱାଇସି ଅପଡେଟ ଅବଧି । ମାର୍ଚ୍ଚ ୩୧ ତାରିଖ ଯାଏ ବଢିଲା ଇ-କେୱାଇସି ଅପଡେଟ ଅବଧି । ଏନେଇ ଘୋଷଣା କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଂଚମ ଥର ପାଇଁ ଏହି ତାରିଖ ସମ୍ପ୍ରସାରଣ କଲେ ରାଜ୍ୟ ସରକାର । ଆଜି ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ଇ-କେୱାଇସି ଅବଧି ସରିବାର ଥିଲା । ଯାହାଫଳରେ ଆଜି ପର୍ଯ୍ୟନ୍ତ ଇ-କେୱାସି କରିନଥିବା ହିତାଧିକାରୀ ଏହାପରେ ରାସନ କାର୍ଡର ସମସ୍ତ ସୁବିଧାରୁ ବଂଚିତ ହୋଇଥାନ୍ତେ । କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର । ତେବେ ପୂର୍ବ ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହିନ୍ତି । ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ । ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, କିଛି ସ୍ଥାନରେ ନେଟୱର୍କ ସମସ୍ୟା ପାଇଁ ଲୋକେ ଇ-କେୱାଇସି କରିପାରିନାହାନ୍ତି । ୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ ଇ-କେୱାଇସି ଅପଡେଟ୍ କରିପାରିନାହାନ୍ତି । ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।