ଭୁବନେଶ୍ବର : ମାର୍ଚ୍ଚ ୧ରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଅନ୍ଲାଇନ୍ରେ ପାଠପଢ଼ା ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରୀ ୧୧ ତାରିଖଠାରୁ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଯାଇଛି । ସେହିପରି ୨୦୨୧ ଫେବ୍ରୁଆରୀ ୧୦ ତାରିଖଠାରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଏବଂ ତିନି ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସହ ୪ ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ତୃତୀୟ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି । କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନଥିବାରୁ ଯୁକ୍ତ ୩ ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍ଲାଇନ୍ରେ ହୋଇପାରୁନାହିଁ। କିନ୍ତୁ ପାଠପଢ଼ା ଶୀଘ୍ର ଆରମ୍ଭ ନ କରାଗଲେ ଯୁକ୍ତ ୩ ଶ୍ରେଣୀର ପିଲାମାନେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି । ତେଣୁ ମାର୍ଚ୍ଚ ୧ରୁ ସେମାନଙ୍କୁ ଅନ୍ଲାଇନ୍ରେ ପଢ଼ାଇବା ପାଇଁ ବିଭାଗ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଛି ।