ଭୁବନେଶ୍ୱର : ପିପିଲି ପାଇଁ ମୁଖ୍ୟମନ୍ତ୍ରୀ ସ୍ପେଶାଲ ପ୍ୟାକେଜ୍ ଘୋଷଣା କରିବା ପରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ୟାକେଜକୁ ଟାର୍ଗେଟ କରି ସରକାରକୁ ଘୋଷଣା ସର୍ବସ୍ୱ ବୋଲି କହିଛନ୍ତି । ଗତ ୨୨ ବର୍ଷ ହେଲା ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି । ହେଲେ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ପ୍ରତିଟି ଘୋଷଣା କେବଳ ଫଳକ ଭିତରେ ସୀମିତ ରହିଛି ବୋଲି ସେ କହିଛନ୍ତି । ଏଥିସହ ନିର୍ବାଚନ ଆସିଲେ ସରକାର ଏମିତି ସବୁ ଘୋଷଣା କରନ୍ତି । ତେଣୁ ଏହାକୁ ନେଇ ତାଙ୍କ ଦଳ ବ୍ୟସ୍ତ ନୁହେଁ ବୋଲି ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଏହାର ଯବାବରେ ବିଜେଡି କହିଛି; ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଛି । ଆମେ ବାରମ୍ବାର କହୁଛୁ ଯେ ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ । ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇସ୍ପିତା ସାହୁ । ସୁଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ସରକାର କେଉଁ ଆଇନ୍ଜୀବୀଙ୍କୁ ନିୟୋଜିତ କରିବେ ଲେଖାଶ୍ରୀଙ୍କୁ ପଚାରି କରିଥାଆନ୍ତେ । ଯେଭଳିକି ଏହାର ତଦନ୍ତ କିଭଳି ହେବ ତାହା ସ୍ଥିର କରିବା ଲେଖାଶ୍ରୀ ଚାହୁଁଥିଲେ । ଏହା ଦ୍ୱାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି । ଏଭଳି କାର୍ଯ୍ୟପାଇଁ ସେ ଲଜ୍ଜିତ ହେବା ସହିତ ଓଡିଶାବାସୀଙ୍କ ନିକଟରୁ ଏଥିପାଇଁ କ୍ଷମା ମାଗିନେବା ଉଚିତ୍ । ବିଗତ ୨୧ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଅଞ୍ଚଳରେ ବ୍ୟାପକ ବିକାଶ କାର୍ଯ୍ୟ ହୋଇଥିବାବେଳେ ଲେଖାଶ୍ରୀଙ୍କ ମନଗଢା କାହାଣୀ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି । ବିଗତ ଦୁଇଟି ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ କାଳେ ଟିକେଟ ମିଳିଯିବ ସେହି ଆଶାରେ ସେ ଏବେ ପିପିଲିରେ ନାକ ପୂରାଉଛନ୍ତି । ଜଣେ ମହିଳା ହିସାବରେ ମୁଁ ତାଙ୍କ ପ୍ରତି ସମବେଦନା ଜଣାଉଛି ବୋଲି କହିଛନ୍ତି ସୁଶ୍ରୀ ସାହୁ ।