ମାଟ୍ରିକ ପରୀକ୍ଷା ବିନା ଚଳିତ ବର୍ଷର ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଇ୧ ଗ୍ରେଡ୍ ପାଇଥିବା ବେଳେ ୨୨, ୧୩୧ ଜଣ ଇ୨, ୫୨, ୧୯୯ ଜଣ ଈ୧ ଓ ୯୪, ୪୭୫ ଜଣ ଈ୨ ଗ୍ରେଡ୍ ପାଇଛନ୍ତି। ସେହିପରି ୧,୩୭,୦୧୪ ଜଣ ‘ସି’ ଗ୍ରେଡ୍ରେ ପାସ୍ କରିଥିବା ବେଳେ ୧,୫୧,୬୩୯ ଜଣ ‘ଡି’ ଗ୍ରେଡ୍, ୧,୦୧,୭୯୬ ଜଣ ‘ଇ’ ଗ୍ରେଡ୍ ପାଇଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ। ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି। ତେବେ ଆଜି ୪ଟା ସମୟରେ କଟକ ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ଫଳ ପ୍ରକାଶ କରିଥିଲେ। ରେଗୁଲାର ଓ ଏକ୍ସ ରେଗୁଲାଲ ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇଛି ।ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଓ୍ଵେବସାଇଟ୍ bseodisha.in ଓ bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଅନ୍ୟପଟେ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ପାଇପାରିବେ । ଏଥିପାଇଁ OR01 <Space> Roll No ଲେଖି ୫୬୭୬୭୫୦କୁ SMS ପଠାଇବାକୁ ହେବ । ସେପଟେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।