ଭୁବନେଶ୍ୱର : କରୋନା ସଂକଟ ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର । ସିବିଏସଇ ଢାଞ୍ଚାରେ ଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଫର୍ମାଟରେ ସ୍କୁଲ ନାମ, ନମ୍ବର ଓ ରୋଲ ନମ୍ବର ଆଦି ତଥ୍ୟ ଉଲ୍ଲେଖ ରହିବ । ଏଥିସହ ଦଶମ ଟେଷ୍ଟ ଓ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି । ସବୁ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦାଖଲ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷାକେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶନକୁ ନେଇ ଓଡିଶା ସ୍କୁଲ ମାଧ୍ୟମିକ ଶିକ୍ଷକ ସଂଘ ମତାମତ ଦେଇଛି । ଗୋଟିଏ ଦିନରେ ନବମ ଶ୍ରେଣୀ ପରୀକ୍ଷା ଫଳ, ଦଶମର 4 ଟିର ପରୀକ୍ଷା ଫଳ ଆସେସମେଣ୍ଟ କରି ଦେବା ଆଦୌ ସମ୍ଭବ ନୁହେଁ । ଏଣୁ ରାଜ୍ୟ ସରକାର ତରବରିଆରେ ଭାବେ କୌଣସି ନିଷ୍ପତି ନ ନେଇ ଆମକୁ ସମୟ ଦିଅନ୍ତୁ ବୋଲି ଓଷ୍ଟା ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ,ଆଇସିଏସଇ ଦଶମ ବୋର୍ଡ ଏବଂ ରାଜ୍ୟର ମାଟ୍ରିକ ପରୀକ୍ଷା ବାତିଲ ହୋଇଛି । ଗତ 20 ତାରିଖ ଦିନ ମାଟ୍ରିକ ଛାତ୍ରଛାତ୍ରୀ ନବୀନ ନିବାସ ସମ୍ମୁଖରେ ସ୍କୁଲ ଡ୍ରେସ ପିନ୍ଧି ଧାରଣା ଦେଇଥିଲେ । ତେବେ 21 ତାରିଖ ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ ।