କଟକ,(ଏନଏନଏସ ଓଡ଼ିଆ /୦୭ .୦୩): ଆସନ୍ତା ୧୦ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ ଆସେସମେଣ୍ଟ(ଏସ୍ଏ)-୨ ପରୀକ୍ଷା ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ହେବ । ଏଥିରେ ମାଟ୍ରିକ୍ ରେଗୁଲାର ଏବଂ ଏକ୍ସ ରେଗୁଲାର, ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷାର୍ଥୀଙ୍କୁ ମିଶାଇ ୫ ଲକ୍ଷ ୪୨ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିଲାଗି ବୋର୍ଡ ପକ୍ଷରୁ ୩ ହଜାର ୩୧ ସେଣ୍ଟର ସ୍ଥିର କରାଯାଇଛି । ପ୍ରଶ୍ନପତ୍ର ଓ ଖାତା ଆଦି ଗଚ୍ଛିତ ରଖିବା ଲାଗି ୨୨ଟି ଥାନାକୁ ମିଶାଇ ୩୧୬ଟି ନୋଡାଲ୍ ସେଣ୍ଟର ରହିଛି। କନ୍ଧମାଳ ଜିଲ୍ଲାରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।
କପି ନିୟନ୍ତ୍ରଣ ପାଇଁ ବୋର୍ଡ ପକ୍ଷରୁ ୩୬ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ବିଭିନ୍ନ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କ ଦ୍ୱାରା ୭୪ଟି ଫ୍ଲାଇଂ ସ୍କ୍ୱାଡ୍ କରାଯାଇଛି । ଏହାବାଦ୍ ଜିଲ୍ଲାପାଳମାନେ ମଧ୍ୟ ପୃଥକ ଭାବେ ସ୍କ୍ୱାଡ୍ ଗଠନ କରିବା ଲାଗି ବ୍ୟବସ୍ଥା କରିଛନ୍ତି । କପି ନିୟନ୍ତ୍ରଣ ଲାଗି ବୋର୍ଡ ପକ୍ଷରୁ ଗଠିତ ୩୬ଟି ସ୍ପେସାଲ ସ୍କ୍ୱାଡ୍ରେ ନିୟୋଜିତ କର୍ମଚାରୀମାନଙ୍କୁ ନେଇ ବୋର୍ଡ କାର୍ୟ୍ୟାଳୟରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା । କେଉଁ ଜିଲ୍ଲାକୁ କେଉଁ ସ୍କ୍ୱାଡ୍ ଯିବ ଏବଂ ସ୍କ୍ୱାଡ୍ରେ ନିୟୋଜିତ କର୍ମଚାରୀମାନେ କପି ନିୟନ୍ତ୍ରଣ ପାଇଁ କି ପ୍ରକାର ପଦକ୍ଷେପ ନେବେ ସେ ସମ୍ପର୍କରେ ବୋର୍ଡ ସଭାପରି ରାମାଶିଷ ହାଜରା, ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ଓ ସମ୍ପାଦକ ସୁମିତ୍ରା ସରକାର ସ୍କ୍ୱାଡ୍ରେ ନିୟୋଜିତ କର୍ମଚାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ ।